Report Card Odisha

| Daily Odia News

ଆମେରିକା ପାଇଁ ପାକିସ୍ତାନ ତିଆରି କରୁଛି କ୍ଷେପଣାସ୍ତ୍ର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ପାଇଁ ନୂଆ ପ୍ରକାର ବିପଦ ସୃଷ୍ଟି କରିବାକୁ ଯାଉଛି ପାକିସ୍ତାନ। ଆମେରିକା ପାଇଁ ପାକିସ୍ତାନ ଯେଉଁ ବିପଦ ସୃଷ୍ଟି କରିବାକୁ ଯାଉଛି ତାହା ଆତଙ୍କବାଦୀ ଆକ୍ରମଣ ନୁହେଁଟ୍ଟ ତାହା ହେଉଛି କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟକ୍ରମ। ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ୍ ହାଉସ୍ କହିଛି ଯେ ପାକିସ୍ତାନ ନୂଆ ପ୍ରକାର ବାଲାଷ୍ଟିକ କ୍ଷେପଣାସ୍ତ୍ର ତିଆରି ଯୋଜନା କରୁଛି। ପାକିସ୍ତାନ ଯେଉଁ ନୂଆ କ୍ଷେପଣାସ୍ତ୍ର ତିଆରି କରିବ ତାହା ଆମେରିକାର ଭୂଖଣ୍ଡକୁ ଲକ୍ଷ୍ୟଭେଦ କରିପାରିବ। ହ୍ବାଇଟ୍ ହାଉସର ମୁଖ୍ୟ ସହକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ଫାଇନର ଗୁରୁବାର ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି। ଫାଇନର କହିଛନ୍ତି ଯେ ଦକ୍ଷିଣ ଏସୀୟ ରାଷ୍ଟ୍ରର ନୂଆ କ୍ଷେପଣାସ୍ତ୍ର କାର‌୍ୟ୍ୟକ୍ରମ କେବଳ ଦକ୍ଷିଣ ଏସିଆ ନୁହେଁ ବରଂ ଆମେରିକା ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି। ପାକିସ୍ତାନର ନୂଆ କ୍ଷେପଣାସ୍ତ୍ର ଆମେରିକାର ଭୂଖଣ୍ଡକୁ ନିଶାଣ କରିପାରିବ। ପାକିସ୍ତାନର ନୂଆ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ଲାଗି ଆମେରିକା ଇସଲାମାବାଦର ୪ଟି ପ୍ରତିଷ୍ଠାନ ଉପରେ କଟକଣା ଲାଗୁ କରିଛି। ଗୁରୁବାର ପାକିସ୍ତାନର ନ୍ୟାସନାଲ ଡେଭଲପ୍‌ମେଣ୍ଟ କଂପ୍ଲେକ୍ସ (ଏନଡିସି), ଅଖତାର ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ, ଆଫିଲେଟ ଇଣ୍ଟରନ୍ୟାସନାଲ ଓ ରକସାଇଡ ଏଣ୍ଟରପ୍ରାଇଜ୍ ଉପରେ ଆମେରିକା କଟକଣା ଲାଗୁ କରିଛି। ଇସଲାମାବାଦସ୍ଥିତ ପ୍ରତିଷ୍ଠାନ ଏନଡିସି ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ତିଆରି ଦାୟିତ୍ବରେ ରହିଛି। ଏଥିପାଇଁ ଏହା ଆବଶ୍ୟକ ସରଞ୍ଜାମ ଯୋଗାଡ କରୁଛି। କେବଳ ଏହି କଟକଣା ନୁହେଁ ପାକିସ୍ତାନର କ୍ଷେପଣାସ୍ତ୍ର ତିଆରି ଯୋଜନାକୁ ପଣ୍ଡ କରିବା ଲାଗି ଆଗାମୀ ଦିନରେ ଆମେରିକା ଅଧିକ କଟକଣା ଜାରି କରିବ ବୋଲି ଜୋ ବାଇଡେନଙ୍କ ପ୍ରଶାସନ କହିଛି। ଫାଇନର କହିଛନ୍ତି ଯେ ଆମେରିକାକୁ ନିଶାଣ କରିପାରୁଥିବାର କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିଥିବା ରାଷ୍ଟ୍ର ମଧ୍ୟରେ ରୁଷ୍‌, ଚୀନ ଭଳି ସୀମିତ ରାଷ୍ଟ୍ର ରହିଛନ୍ତି। ତେବେ ପାକିସ୍ତାନ ଭଳି ଦେଶ ଏପରି କ୍ଷେପଣାସ୍ତ୍ର ତିଆରି କରିବା ଯୋଜନା ନିଶ୍ଚିତ ରୂପେ ଆଶ୍ଚର‌୍ୟ୍ୟର ବିଷୟ। ଏଥିପାଇଁ ଆମେରିକା ପ୍ରଶାସନ ଉଦ୍‌ବେଗ ପ୍ରକାଶ କରିଛି। ଆମେରିକା ଏହାର ଉଦ୍‌ବେଗକୁ ପାକିସ୍ତାନ ପ୍ରତିପକ୍ଷଙ୍କୁ ମଧ୍ୟ ଜଣାଇଛି। ଆତଙ୍କବାଦ ଦମନ ଓ ସୁରକ୍ଷା ପ୍ରସଙ୍ଗରେ ପାକିସ୍ତାନ ଆମେରିକାର ଦୀର୍ଘ ଦିନର ଅଂଶୀଦାର ହୋଇ ରହିଥିଲା।

Breaking News