ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଭାରତକୁ ଯୁଦ୍ଧର ଧମକ ଦେଇଛନ୍ତି। ପାକିସ୍ତାନର ଏକ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ ଜଳ ହେଉଛି ଆମ ଜାତୀୟ ସୁରକ୍ଷାର ଏକ ପ୍ରମୁଖ ଅଂଶ। ଆଉ ଯେଉଁ ମହୂର୍ତ୍ତରେ ଆମେ ଅନୁଭବ କରିବୁ ଯେ ଆମର ଏହି ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି ଆମେ ନିଶ୍ଚିତ ଭାବେ ଭାରତ ବିରୋଧରେ ଯୁଦ୍ଧକୁ ଓହ୍ଲାଇବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଭାରତ ପାକିସ୍ତାନକୁ ଆସୁଥିବା ପାଣିର ଗତିପଥ ବଦଳାଇବା କିମ୍ବା ବନ୍ଦ କରିବା ଦିଗରେ କାମ କରୁଥିବାର କୌଣସି ପ୍ରମାଣ ମିଳେ ତେବେ ପାକିସ୍ତାନ ପାଖରେ ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୧୯୬୦ ମସିହାର ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଭାରତ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ବନ୍ଦ ନକରିଛି, ସେ ପର୍ଯ୍ୟନ୍ତ ଏହି ଚୁକ୍ତି କାର୍ଯ୍ୟକାରୀ ହେବ ନାହିଁ। ଭାରତର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ୍ଙ୍କ ଏକ ବୟାନ ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି, ଯେଉଁଥିରେ ସେ କହିଥିଲେ ଯେ ଜୁନ୍ ୨୦୨୮ ସୁଦ୍ଧା ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀର ପାଣିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରେ। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ଚେନାବ୍ ନଦୀର ପାଣିକୁ ଅଟକାଇବା ପାଇଁ ବେଆଇନ ଭାବେ ଟନେଲ୍ ନିର୍ମାଣ କରୁଛି। ପାକିସ୍ତାନର ଏହି ଯୁଦ୍ଧ ଧମକ ପଛରେ ତାର ନିଜର ଆଭ୍ୟନ୍ତରୀଣ ସଙ୍କଟ ମଧ୍ୟ ରହିଛି। ବର୍ତ୍ତମାନ ପାକିସ୍ତାନର ପ୍ରାୟ ଏକ-ତୃତୀୟାଂଶ ଜନସଂଖ୍ୟା ବିଶେଷ କରି ସିନ୍ଧ ଏବଂ ବେଲୁଚିସ୍ତାନ ପ୍ରଦେଶରେ ଭୟଙ୍କର ଜଳାଭାବ ଦେଖାଯାଇଛି। ଏପରିକି ପାକିସ୍ତାନର ବିଭିନ୍ନ ପ୍ରଦେଶ ମଧ୍ୟରେ ପାଣି ବଣ୍ଟନକୁ ନେଇ ବିବାଦ ଉଗ୍ର ରୂପ ନେଉଛି। ନିଜର ବିଫଳତା ଲୁଚାଇବା ଓ ଭାରତ ଉପରେ ଚାପ ସୃଷ୍ଟି କରିବା ପାଇଁ ପାକିସ୍ତାନ ଏବେ ଜଳ ବିବାଦକୁ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ନେବାକୁ ଚେଷ୍ଟା କରୁଛି।






More Stories
ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ…..
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……