Report Card Odisha

| Daily Odia News

ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ…..

ରିପୋର୍ଟ କାର୍ଡ / କଟକ

ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହେଉଥିବାରୁ ଏ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ପଡ଼ୁଛି ମହାବିଷୁବ ପଣା ସଂକ୍ରାନ୍ତି। ଓଡ଼ିଶାରେ ପ୍ରାୟ ସମସ୍ତ ପାଞ୍ଜି ଗଣନାରେ ବିଶେଷଭାବେ ଅବଲମ୍ବନ କରାଯାଉଥିବା ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ, ଯାଜପୁର ଜିଲ୍ଲାରେ ବିରଜା ପାଞ୍ଜି ଗଣନାରେ ବ୍ୟବହୃତ ଶତାନନ୍ଦଙ୍କ ଭାସ୍ବତୀ, ସାରା ଭାରତରେ ପାରମ୍ପରିକ ପାଞ୍ଜି ଗଣନାରେ ବ୍ୟବହୃତ ସୂର୍ଯ୍ୟସିଦ୍ଧାନ୍ତ ଏବଂ ଆଧୁନିକ ବୈଜ୍ଞାନିକ ପଦ୍ଧତି ଗଣନା ଅନୁସାରେ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି। ଓଡ଼ିଶା ତଥା ସର୍ବଭାରତୀୟ ସ୍ତରର ପ୍ରାୟ ସମସ୍ତ ପଞ୍ଜିକାରେ ଏପ୍ରିଲ ୧୩ରେ ହିଁ ମେଷ ରାଶିକୁ ନିରୟଣ ରବି ଚଳନ ହେଉଥିବା ଦର୍ଶାଯାଇଛି। ଭାରତ ସରକାରଙ୍କ ରାଷ୍ଟ୍ରୀୟ ପଞ୍ଚାଙ୍ଗ, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ‘ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା’, ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶିଙ୍କ ଦ୍ବାରା ଗଣିତ ଭାଗ୍ୟଜ୍ୟୋତି ପ୍ରକାଶନର ପରମେଶ୍ୱରୀ ପଞ୍ଜିକା ଓ ଶ୍ରୀକ୍ଷେତ୍ର ପାଞ୍ଜି, ସମ୍ବାଦ ଓ ଆମ ଓଡ଼ିଶାର ‘ଆମ ପଞ୍ଜି’, ଭାଗ୍ୟଦୀପ ପଞ୍ଜିକା, ସାରଳା ପାଞ୍ଜି ଓ ରାଧାରମଣ ପ୍ରେସର ବିରଜା ପାଞ୍ଜିରେ ଏପ୍ରିଲ ୧୩ରେ ହିଁ ପଣାସଂକ୍ରାନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏପରି ସ୍ଥଳେ ୧୪-୦୪-୨୦୨୪ରେ ପଣା ସଂକ୍ରାନ୍ତି ବୋଲି ଭୁଲ ଗଣନା କରିଥିବା ରାଧାରମଣ ପ୍ରେସର ଜଗନ୍ନାଥ ପାଞ୍ଜି, ଓଡ଼ିଶା କୋହିନୁର ପ୍ରେସ୍ ପଞ୍ଜିକା ଏବଂ ଜି.ଏନ୍. ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇ ଥିବାରୁ ଏବଂ ପୂର୍ବବର୍ଷର ଭୁଲକୁ ଘୋଡ଼େଇବା ପାଇଁ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ବୋଲି ଘୋଷଣା କରିଥିବାରୁ ଏହା ବିରୋଧରେ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି।

Breaking News