Report Card Odisha

| Daily Odia News

ସଂସଦ କର୍ମଚାରୀ ପିନ୍ଧିବେ ନୂଆ ‘ୟୁନିଫର୍ମ’….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ସପ୍ତାହରୁ ନୂଆ ସଂସଦ ଭବନକୁ ଯାଉଥିବାରୁ ସଂସଦର ଉଭୟ ସଦନର ଭିତରେ ଓ ବାହାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନୂଆ ‘ୟୁନିଫର୍ମ’ ପିନ୍ଧିବେ‌ | ଏନେଇ ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଏହି ନୂଆ ‘ୟୁନିଫର୍ମ’ରେ ‘ଭାରତୀୟ’ ଛାପ ରହିବ | ଉଭୟ ସଦନର ମାର୍ସାଲ୍‌ମାନେ ସାଦା ପଗଡ଼ି ପରିବର୍ତ୍ତେ ମଣିପୁରୀ ପଗଡ଼ି ବାନ୍ଧିବେ। ‘ଚେୟାର୍‌’ ପାର୍ଶ୍ବରେ ଠିଆ ହୋଇ ‘ପ୍ରିଜାଇଡିଙ୍ଗ୍‌ ଅଫିସର୍‌’ଙ୍କୁ ସହଯୋଗ କରୁଥିବା ମାର୍ସାଲ୍‌ମାନେ ସଫାରି ସୁଟ୍‌ ପରିବର୍ତ୍ତେ ‘କ୍ରିମ୍‌’ ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିବେ। ଆଉ କେତେକ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗାଢ଼ ଗୋଲାପୀ ରଙ୍ଗର ସାର୍ଟରେ ରହିବ ‘ପଦ୍ମ’ ଫୁଲର ଆକୃତି। ସେହିପରି, ସମସ୍ତ ମହିଳା ଅଫିସର୍‌ମାନେ ନୂଆ ଡିଜାଇନ୍‌ର ଶାଢ଼ି ପିନ୍ଧିବେ। ଆଉ କିଛି କର୍ମଚାରୀ ଖାକି ରଙ୍ଗର ପ୍ୟାଣ୍ଟ୍‌ ପିନ୍ଧିବେ। ସେହିପରି, ପ୍ରଶାସନିକ ଅଧିକାରୀମାନଙ୍କ ‘ବନ୍ଦଗଳା’ ସୁଟ୍‌ ପରିବର୍ତ୍ତେ ଗାଢ଼ ଗୋଲାପୀ ରଙ୍ଗର ‘ନେହେରୁ ଜ୍ୟାକେଟ୍‌’ ପିନ୍ଧିବେ। ସଂସଦ ଭବନର ନିରାପତ୍ତା କର୍ମଚାରୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେମାନେ ସଫାରି ସୁଟ୍‌ ନ ପିନ୍ଧି ସେନା ଯବାନମାନେ ପିନ୍ଧୁଥିବା ୟୁନିଫର୍ମ ପରି ୟୁନିଫର୍ମ ପିନ୍ଧିବେ। ଏହି ସବୁ ‘ୟୁନିଫର୍ମ’ ନିମନ୍ତେ ନୂଆ ଡିଜାଇନ୍‌ ପାଇଁ ଦେଶର ୧୮ଟି ଯାକ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ସ୍‌ ଅଫ୍‌ ଫେସନ୍‌ ଟେକ୍ନୋଲୋଜି’ଙ୍କୁ (ଏନ୍‌ଆଇଏଫ୍‌ଟି) ପ୍ରସ୍ତାବ ଦେବା ଲାଗି କୁହାଯାଇଥିଲା। ସୂଚନାଯୋଗ୍ୟ, ସଂସଦ ଅଧିବେଶନ ସେପ୍ଟେମ୍ବର ୧୮ରେ ଆରମ୍ଭ ହେଉଥିଲେ ବି ୧୯ ତାରିଖ ଦିନ ପଡୁଥିବା ଗଣେଶ ଚତୁର୍ଥୀରେ ଛୋଟଧରଣର ପୂଜା ପରେ ନୂତନ ସଂସଦ ଭବନରେ ଔପଚାରିକ ପ୍ରବେଶ ଉତ୍ସବ ଆରମ୍ଭ ହେବ।

Breaking News