Report Card Odisha

| Daily Odia News

ସରକାର ବିରୋଧୀ ଦଳକୁ ବିଭାଜନ କରିବାକୁ ଷଡ୍‌ଯନ୍ତ୍ର କରୁଛନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୨ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରିବାଦ୍ବାରା ସଂସଦରେ ଚାଲିଥିବା ଅଚଳାବସ୍ଥାର ସମାଧାନ ନିମନ୍ତେ ମାତ୍ର ଅଳ୍ପ କେତୋଟି ଦଳକୁ ଡାକି ବିରୋଧୀ ଦଳକୁ ବିଭାଜନ କରିବା ଲାଗି ସରକାର ଚେଷ୍ଟା କରୁଛନ୍ତି ବୋଲି ଆଜି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ ଅଭିଯୋଗ କରିଛନ୍ତି। ଖଡ଼ଗେ କହିଛନ୍ତି, ସରକାର ବିରୋଧୀ ଦଳକୁ ବିଭାଜନ କରିବାକୁ ଷଡ୍‌ଯନ୍ତ୍ର କରୁଛନ୍ତି କିନ୍ତୁ, ଏ ମାମଲରେ ଦଳ ସବୁ ଏକଜୁଟ ହୋଇଛନ୍ତି। ସରକାର ସର୍ବଦଳୀୟ ବୈଠକ ଡାକିବା ଉଚିତ। ଗତମାସରେ ଶୀତାକଳୀନ ଅଧିବେଶନରୁ ନିଲମ୍ବିତ ‌ହୋଇଥିବା ବିରୋଧୀ ସାଂସଦମାନଙ୍କ ଦଳକୁ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ବୈଠକକୁ ଡାକିଥିବାରୁ ପ୍ରତିକ୍ରିୟାଶୀଳ ହୋଇ ବର୍ଷିୟାନ୍ କଂଗ୍ରେସ ନେତା ଖଡ଼କେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଯୋଶୀ କେବଳ କଂଗ୍ରେସ, ତୃଣମୂଳ କଂଗ୍ରେସ, ଶିବସେନା, ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟି (ଏମ୍) ଏବଂ ଭାରତର କମ୍ୟୁନିଷ୍ଟ୍‌ ପାର୍ଟିକୁ ଗୃହର ଅଚଳାବସ୍ଥା ସମାଧାନ ନିମନ୍ତେ ଆଗତ ବୈଠକକୁ ଡାକିଥିଲେ। ଚଳିତ ସପ୍ତାହରେ ଗୃହ ସୁଚାରୁ ରୂପେ ଚାଲି ନ ପାରିବାରୁ ଉଭୟ ଦଳ ମାମଲାର ସମାଧାନ କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ପ୍ରସ୍ତାବ ଦେଇଥିଲେ। ନିଲମ୍ବିତ ହୋଇଥିବା ସାଂସଦମାନଙ୍କୁ କ୍ଷମାଯାଚନା କରି ଗୃହର ନେତା ପୀୟୂଷ ଗୋୟଲ୍‌ ଅଭିଯୋଗ କରିଥିଲେ କି, ମାର୍ସାଲ୍‌ମାନଙ୍କୁ ଆକ୍ରମଣ କରିବା ସହ ମହିଳା ମାର୍ସଲ୍‌ମାନଙ୍କ ସହ ଦୁର୍ବ୍ୟବହାର କରି ମଧ୍ୟ ବରିଷ୍ଠ ବିରୋଧୀ ସଦସ୍ୟମାନେ ଅନୁତପ୍ତ ନୁହନ୍ତି। ସେମାନେ ଯଦି କ୍ଷମାଭିକ୍ଷା କର‌ବେ ସରକାର ସେମାନଙ୍କ ଅନୁରୋଧ ବିଷୟରେ ବିଚାର କରିବେ। କିନ୍ତୁ, ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମେ ବାରମ୍ବାର କହୁଛୁ, ଆମେ ଯାହା କରିନାହୁଁ, ଆମ ଉପରେ ସେଭଳି ଦୋଷାରୋପ କରାଯାଉଛି। ଏଳଭି କରି ସରକାର ଗୃହକୁ ବିଭ୍ରାନ୍ତ କରୁଛନ୍ତି।

Breaking News