Report Card Odisha

| Daily Odia News

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟତଃ ଦରଦାମ ବୃଦ୍ଧି, ଅସଂସଦୀୟ ଶବ୍ଦ ବିବାଦ ଓ ଅଗ୍ନିପଥ ଯୋଜନା ଉପରେ ଆଲୋଚନା ହୋଇଛି। ସରକାର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ବୈଠକରେ ଅନୁପସ୍ଥିତ ଥିଲେ। କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରିଛି। ଏହି ଅଧିବେଶନ କାଳରେ ସଂସଦରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସୋମବାର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାଂସଦମାନେ ସଂସଦ ଭବନର ମତଦାନ କେନ୍ଦ୍ରରେ ଭୋଟ ଦେବେ। ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ହେବ। ସେହିପରି ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ଅଧିବେଶନ କାଳରେ ସରକାର ୨୪ ବିଧେୟକ (ବିଲ୍‌) ଆଗତ କରିବେ। ଆଗତ ହେବାକୁ ଥିବା ବିଧେୟକ ମଧ୍ୟରେ କ୍ୟାଣ୍ଟନମେଣ୍ଟ ବିଲ୍‌, ମଲଟି ଷ୍ଟେଟ୍ କୋ-ଅପରେଟିଭ୍ ବିଲ୍‌, କଫି (ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ) ବିଲ୍‌, ପ୍ରତିଯୋଗିତା (ସଂଶୋଧନ) ବିଲ, ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଇନ ୨୦୦୫ର ସଂଶୋଧନ ବିଲ୍‌ ଆଦି ପ୍ରମୁଖ। ଏହା ସହିତ ଛତିଶଗଡ ଓ ତାମିଲନାଡୁର ଅନୁସୂଚିତ ଜାତି ଓ ଜନଜାତି (ଏସସି ଓ ଏସଟି) ତାଲିକାର ନବୀକରଣ ନିମନ୍ତେ ଦୁଇଟି ସମ୍ବିଧାନ ସଂଶୋଧନ ବିଧେୟକ ଆଗତ କରାଯିବ।

 

Breaking News