Report Card Odisha

| Daily Odia News

୨ ଦିନ ଆଗରୁ ସରିଲା ସଂସଦର ମୌସୁମୀ ଅଧିବେଶନ,ଓବିସି ବିଲ୍‌ ଗୃହୀତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ‌ବୁଧବାର ଶେଷ ହୋଇଛି। ଅଧିବେଶନ ଆସନ୍ତା ୧୩ ତାରିଖରେ ସରିବ ବୋଲି ଧାର୍ଯ୍ୟ ହୋଇଥିଲେ | କିନ୍ତୁ ଗୃହ ଅଚଳାବସ୍ଥା କାରଣରୁ ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ କରି ଦିଆଯାଇଛି। ଅଧିବେଶନ ଆରମ୍ଭରୁ ପେଗାସସ୍ ସ୍ପାଏୱେର, କୃଷି ବିଲ୍ ପ୍ରତ୍ୟାହାର, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ କରିଥିଲେ। ଯାହାଦ୍ୱାରା ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ପାରି ନଥିଲା। ତେବେ ଏହା ମଧ୍ୟ ସରକାର ବିନା ବିତର୍କରେ ଏକାଧିକ ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ କରାଇ ନେଇଛନ୍ତି। ବୁଧବାର ଶେଷଦିନରେ ସରକାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହୋଇଛି। ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ତାଲିକା ପ୍ରସ୍ତୁତ ବିଲ୍‌କୁ ବିରୋଧୀମାନେ ମଧ୍ୟ ସମର୍ଥନ କରିଥିଲେ। ଏହି ବିଲ୍ ଆଇନରେ ପରିଣତ ହେବା ପରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ନିଜ ରାଜ୍ୟର ଓବିସି ବର୍ଗକୁ ଚିହ୍ନଟ କରିପାରିବେ । ।ଖାଲ ସେତିକି ନୁହେଁ, ସେମାନଙ୍କ ତାଲିକା ପ୍ରସ୍ତୁତି ଓ ସଂରକ୍ଷଣ କ୍ଷମତା ମଧ୍ୟ ପାଇ ପାରିବେ । ଏଥିସହିତ ସଂସଦରେ ସାଧାରଣ ବୀମା ବ୍ୟବସାୟ (ଜାତୀୟକରଣ) ସଂଶୋଧନ ବିଲ୍‌-୨୦୨୧ ମଧ୍ୟ ଗୃହୀତ ହୋଇଛି। ରାଜ୍ୟସଭାରେ ଆଜି ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍‌କୁ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଆଗତ କରିଥିଲେ। ଏହାଦ୍ବାରା ରାଜ୍ୟଗୁଡ଼ିକ ସେମାନଙ୍କ ନିଜସ୍ବ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପାଇବ ବୋଲି ମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ। ମୌସୁମୀ ଅଧିବେଶନରେ ଗୃହ ଠିକ୍‌ ଭାବେ ଚାଲି ପାରି ନପାରିବାରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା କ୍ଷୋଭ ପ୍ରକାଶ କରିଛନ୍ତି। ଗୃହ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି ବିର୍ଲା କହିଥିଲେ ସଦସ୍ୟମାନେ ପ୍ଲାକାର୍ଡ ଧରିବା, ସ୍ଳୋଗାନ ଦେବା ଏବଂ ମଧ୍ୟଭାଗକୁ ଆସିବା ଗୃହର ପରମ୍ପରା ନୁହେଁ। ମୌସୁମୀ ଅଧିବେଶନରେ ଲୋକସଭା‌ ମାତ୍ର ୨୧ ଘଣ୍ଟା କାମ କରିପାରିଥିଲା। ଗୃହ ସମୁଦାୟ ସମୟ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ଉପଯୋଗ ହୋଇଛି ବୋଲି ବିର୍ଲା କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଗୃହରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ସଂପର୍କରେ ଉଲ୍ଲେଖ କରିବାବେଳେ ନିଜର କୋହ ସମ୍ବରଣ କରି ନପାରି କାନ୍ଦି ପକାଇଥିଲେ। ଗୃହର ପବିତ୍ରତାକୁ କେତେକ ବିରୋଧୀ ସଦସ୍ୟ ନଷ୍ଟ କରିଦେଇଛନ୍ତି। ଗତକାଲି ରାତିରେ ସେ ଏଥିପାଇଁ ଶୋଇ ପାରି ନଥିଲେ ବୋଲି ନାଇଡ଼ୁ କହିଥିଲେ।

Breaking News