Report Card Odisha

| Daily Odia News

ଇଡିକୁ ସତ କହିଲେ ଅର୍ପିତା, ମୋ ଘରକୁ ମିନି ବ୍ୟାଙ୍କ କରିଥିଲେ ପାର୍ଥ ଚାଟାର୍ଜୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଏକ ବଡ଼ ଖୁଲାସା କରିଛନ୍ତି। ଜେରା ସମୟରେ ପାର୍ଥ ପୂରାପୂରି ଭାବେ ଇଡିକୁ ସମର୍ଥନ କରିନଥିବା ବେ‌ଳେ ତାଙ୍କର ସବୁ ପୋଲ ଖୋଲିଛନ୍ତି ଅର୍ପିତା ମୁଖାର୍ଜୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୁ ଅର୍ପିତା କହିଛନ୍ତି ଯେ ପାର୍ଥ ଚାଟାର୍ଜୀ ତାଙ୍କ ଘରକୁ ‘ମିନି ବ୍ୟାଙ୍କ’ ଭାବରେ ବ୍ୟବହାର କରୁଥିଲେ। ସେ ଆଣୁଥିବା ଟଙ୍କା ନିଜ ଘରେ ନରଖି ଅର୍ପିତାଙ୍କ ଘରେ ରଖିବା ସହ ଦରକାର ସମୟରେ ଏହାକୁ କାମରେ ଲଗାଉଥିଲେ। ଇଡି ପକ୍ଷରୁ ଏଭଳି ସୂଚନା ଲିକ୍ ହେବା ପରେ ଅର୍ପିତାଙ୍କ ଓକିଲ ଏଥିରେ ଆପତ୍ତି ଉଠାଇଛନ୍ତି। ଅର୍ପିତାଙ୍କ ଓକିଲମାନେ କହିଛନ୍ତି ଯେ ଇଡି ଦ୍ୱାରା ଅନୁସନ୍ଧାନର ବିବରଣୀ ଗଣମାଧ୍ୟମରୁ ଲିକ୍ ହେଉଛି, ଯାହା ଭୁଲ ଅଟେ। ତେବେ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ଉ ବେଳେ ଇଡି ୨୧କୋଟି ଟଙ୍କା ଜବତ କରିଥିଲା। ଅର୍ପିତା ମୁଖାର୍ଜୀ, ଜଣେ ଅଭିନେତ୍ରୀ ତଥା ମଡେଲ ଭାବେ ଜଣାଶୁଣା ଥିବା ବେ‌େ, ଗତ କିଛି ବର୍ଷ ଧରି ପାର୍ଥ ଚାଟାର୍ଜୀଙ୍କ ନିକଟତର ହୋଇଥିଲେ। ଶନିବାର ପାର୍ଥ ଏବଂ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଦୁହିଁଙ୍କୁ ଗିରଫ ପରେ ଏବେ ରିମାଣ୍ଡରେ ନେଇଛି ଇଡି। ଉ‌ଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡିର ଏକ ୮ ଜଣିଆ ଟିମ୍‌ ଗତ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି।

Breaking News