Report Card Odisha

| Daily Odia News

ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..

ରିପୋର୍ଟ କାର୍ଡ / ବ୍ରହ୍ମପୁର

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ ଡାକ୍ତରଙ୍କର ବୋଲି ଜଣାପଡ଼ିଛି। ପୋଲିସ ସମ୍ପୃକ୍ତ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କୁ ଥାନାରେ ହାଜର ପାଇଁ ନୋଟିସ କରିଥିଲା। ଡା. ପାଣିଗ୍ରାହୀ ବୁଧବାର ରାତିରେ ଗୋଷାଣି ନୂଆଗାଁ ଥାନାରେ ହାଜର ହୋଇଥିଲେ। ପୋଲିସ ତାଙ୍କୁ ୨ ଘଣ୍ଟା ଧରି ମାରାଥନ ଜେରା କରିଥିଲା। ଜେଲ ଭିତରେ ତାଙ୍କ ମୋବାଇଲ ଫୋନକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ବ୍ୟବହାର କରିଥିବା ଡା. ପାଣିଗ୍ରାହୀ ସ୍ବୀକାର କରିଥିବା ଜଣାପଡିଛି। ପୋଲିସ ଡା. ପାଣିଗ୍ରାହୀଙ୍କ ଉକ୍ତ ମୋବାଇଲ ଫୋନ୍‌ ଜବତ କରି ଛାନଭିନ କରୁଛି। ତାଙ୍କୁ ନୋଟିସ ଦେଇ ଥାନାରୁ ଛାଡ଼ିଛି।ପୀତବାସ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତମୋହନ ମଙ୍ଗରାଜଙ୍କୁ କୋର୍ଟରେ ସାକ୍ଷ୍ୟ ନ ଦେବାକୁ ଗତ ୨୮ ତାରିଖରେ ଜେଲରୁ ଧମକ ମିଳିଥିଲା। ଜେଲରେ ଥିବା ବେଳେ ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ମଦନ ଦଳାଇ ଏପରି ଧମକ ନେଇଥିବା ଲଳିତମୋହନ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଜେଲ ଭିତରୁ ସିସିଟିଭି ଫୁଟେଜ ଓ ଫୋନ କଲ ରେକର୍ଡ ସଂଗ୍ରହ କରି ତଦନ୍ତ କରୁଛି। ସେପଟେ ଧମକ ଦେଇଥିବା ଅଭିଯୋଗ ଆସିବା ପରେ ନିକଟରେ ଜେଲରୁ ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା ବିକ୍ରମଙ୍କ ଓ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମଦନ ପୁଣି ଏକ ମାମଲାରେ ଛନ୍ଦି ହୋଇଯାଇଛନ୍ତି।

Breaking News