ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଏୟାରଲାଇନ୍ସ ର ଏକ ବିମାନକୁ ଅଟକ ରଖିଛି ୟୁଏଇ। ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ବିମାନକୁ ଅଟକ ରଖିଥିବା ଜଣାପଡିଛି | ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ ପାଣ୍ଠି ନ ମିଳେ ତେବେ ଆଗକୁ ଉଡାଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ। ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲା। ଏଥିପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା। ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜଣେ ବରିଷ୍ଠ ନିର୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ଗନ୍ତବ୍ୟରେ ୨୩ଟି ବିମାନ ଉଡାଣ କରୁଥିଲା। ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି। ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ଯନ୍ତ୍ରାଂଶ ଦେବାକୁ ମନା କରିଦେଇଛନ୍ତି। କମ୍ପାନୀମାନଙ୍କ ଯନ୍ତ୍ରାଂଶ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ପିଆଇଏକୁ ଚଳାଇ ରଖିବା ପାଇଁ ଏବେ ୨୩ ଶହ କୋଟି ପାକିସ୍ତାନୀ ଟଙ୍କାର ତ୍ୱରିତ ଆବଶ୍ୟକତା ଅଛି। ଯଦି ସରକାର ଜରୁରି ପାଣ୍ଠି ଯୋଗାଇ ନ ଦିଅନ୍ତି ତେବେ ପିଆଇଏ ଗୁରୁତର ସଂକଟର ସମ୍ମୁଖୀନ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..