Report Card Odisha

| Daily Odia News

ପିଆଜ ଖାଇ ୩୭ଟି ପ୍ରଦେଶରେ ପେଟ ରୋଗରେ ଆକ୍ରାନ୍ତ ଲୋକେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପେଟରୋଗ ସୃଷ୍ଟିକାରୀ ଅଣୁଜୀବ ‘ସାଲ୍‌ମନେଲୋ’ ବ୍ୟାପିବା ହେତୁ ୩୭ଟି ପ୍ରଦେଶରେ ବହୁସଂଖ୍ୟକ ଲୋକେ ଅସୁସ୍ଥ ହୋଇପଡ଼ିବା ସୂଚନା ମିଳିଛି | ‘ଲେବଲ୍‌’ ଲାଗି ନ ଥିବା ଲାଲ୍‌, ଧଳା ଏବଂ ହଳଦିଆ ରଙ୍ଗର ପିଆଜ ବର୍ଜନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ‘ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ କହିଛି, ଚିହୁଆହୁଆ ଓ ମେକ୍ସିକୋରୁ ଆମଦାନି ହୋଇ ଆଇଦାହୋସ୍ଥିତ ହେଲିରେ ଥିବା ଲିମିଟେଡ୍‌ ଲାଏବିଲିଟି କମ୍ପାନି ‘ପ୍ରୋସୋର୍ସ ପ୍ରଡ୍ୟୁସ୍‌’ ଆବଣ୍ଟିତ ହେଉଥିବା ପିଆଜ ଏହି ସଂକ୍ରମଣର ଗୋଟିଏ ଉତ୍ସ ବୋଲି ଜଣାପଡ଼ିଛି। ଏଥିଯୋଗୁଁ ଏପର୍ଯ୍ୟନ୍ତ ୬୨୫ଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୨୯ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ଘଟିନାହିଁ। ଆକ୍ରାନ୍ତମାନଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ‘ସିଡିସି’ କହିଛି। ମେ ୩୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ସଂକ୍ରମଣ ରେକର୍ଡ କରାଯାଇଛି।ଏକ ବିବୃତିରେ ‘ସିଡିସି’ କହିଛି, ଅସୁସ୍ଥ ବ୍ୟକ୍ତିଙ୍କ ସହ ହୋଇଥିବା ସାକ୍ଷାତ୍‌କାରରୁ ଜଣାପଡୁଛି ଯେ, ସେମାନଙ୍କ ମଧ୍ୟରୁ ୭୫% ଲୋକ ଉପରୋକ୍ତ କଞ୍ଚା ପିଆଜ କିଂବା ସେଥିରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଚିହୁଆହୁଆର ଆମଦାନି ହୋଇଥିବା ପିଆଜ ନ କିଣିବାକୁ ‘ସିଡିସି’ ଜନତାଙ୍କୁ ପରାମର୍ଶ ଦେଇଛି। ଏହାଛଡ଼ା, କିଣିଥିବା ପିଆଜ ସବୁ ଫୋପାଡ଼ି ଦେବା ସହ ସେ ପିଆଜ ରଖାଯାଇଥିବା ପାତ୍ର ଏବଂ ଚଟାଣକୁ ସାବୁନ୍‌ ପାଣିରେ ପରିଷ୍କାର କରିବା ଲାଗି କୁହାଯାଇଛି। ‘ସାଲ୍‌ମନେଲୋ’ ଆକ୍ରାନ୍ତଙ୍କ ଠାରେ ଡାଇରିଆ, ଜ୍ୱର ଏବଂ ପେଟଟଣା ଆଦି ଲକ୍ଷଣ ଦେଖା ଦେଉଛି। ଏହି ପିଆଜ କିଂବା ସେଥିରେ ପ୍ରସ୍ତୁତ ଭୋଜନ ଖାଇବାର ୬ ଘଣ୍ଟା କିଂବା ୬ ଦିନ ପରେ ଉପରୋକ୍ତ ଲକ୍ଷଣମାନ ପ୍ରକାଶ ପାଉଛି।

Breaking News