Report Card Odisha

| Daily Odia News

ବିମାନ ଦୁର୍ଘଟଣା;୧୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଆମେରିକୀୟ ଦେଶ ପେରୁର ପ୍ରସିଦ୍ଧ ‘ନାଜ୍‌କା ଲାଇନ୍ସ’ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରୁ ୧୧ଜଣ ଯାତ୍ରୀ ଯେଉଁମାନେ କି ବିଦେଶୀ ପର୍ଯ୍ୟଟକ ଓ ୨ ଜଣ ପାଇଲଟ୍‌। ମୃତ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ୭ଜଣ ଇଟାଲୀର ହୋଇଥିବାବେଳେ ଜର୍ମାନୀ ଓ ସ୍ପେନର ୨ଜଣ ଲେଖାଏଁ ଯାତ୍ରୀ ଅଛନ୍ତି। ବିମାନଟି ପର୍ଯ୍ୟଟକଙ୍କୁ ଧରି ବିଶ୍ୱପ୍ରସିଦ୍ଧ ଐତିହାସିକ ସ୍ଥଳ ‘ନାଜ୍‌କା ଲାଇନ୍ସ’ ଉପରେ ବୁଲାଉଥିଲା | ବିମାନଟି ତଳେ ପଡିବା ପରେ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା। ସେସନା ଗ୍ରାଣ୍ଡ କାରାଭାନ ସି-୨୦୮ କମ୍ପାନୀର ଏହି ବିମାନଟିକୁ ପେରୁର ଏରୋଡିଆନ ସଂସ୍ଥା ପକ୍ଷରୁ ପରିଚାଳନା କରାଯାଉଥିଲା। ବିମାନଟି ପର୍ଯ୍ୟଟକଙ୍କୁ ‘ନାଜ୍‌କା ଲାଇନ୍ସ’ର ଦୃଶ୍ୟ ଦେଖାଇ ସାରିବା ପରେ ନାଜ୍‌କା ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ସମୟରେ ନିୟନ୍ତ୍ରଣ କକ୍ଷ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ପରେ ବିମାନଟି ନିକଟସ୍ଥ ପଡ଼ିଆରେ ପଡ଼ିଯାଇଥିଲା ଓ ସେଥିରେ ନିଆଁ ଲାଗି ଜଳିଯାଇଥିଲା। ପେରୁ ସରକାର ଓ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦ୍ୱାରା ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଘଟଣାଦିନ ସେହି ଅଞ୍ଚଳରେ ଧୂଳିଝଡ଼ ହୋଇଥିବାରୁ ପ୍ରତିକୂଳ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପ୍ରାଥମିକ ସନ୍ଦେହ କରାଯାଉଛି। ‘ନାଜ୍‌କା ଲାଇନ୍ସ’ ହେଉଛି ପେରୁର ମରୁଭୂମିରେ ପ୍ରାଚୀନ କାଳରୁ ବାଲି ଓ ପଥର ଉପରେ ଅଙ୍କାଯାଇଥିବା ବିଶାଳକାୟ ଜ୍ୟାମିତିକ ଚିତ୍ର ଓ ପଶୁପକ୍ଷୀଙ୍କ ଆକୃତି, ଯାହା ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତାପ୍ରାପ୍ତ। ଏହି ଚିତ୍ରଗୁଡ଼ିକ ଅତ୍ୟନ୍ତ ବିଶାଳ ହୋଇଥିବାରୁ କେବଳ ଆକାଶମାର୍ଗରୁ (ବିମାନ ବା ହେଲିକପ୍ଟରରୁ) ହିଁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥାଏ।

Breaking News