ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରିବାକୁ ପରିଷଦ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ନିର୍ଦ୍ଦେଶ ମିଳିବା ପରେ ପରିଷଦ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। ପ୍ରଥମ ପର୍ଯ୍ୟାୟରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ମତାମତ ଗ୍ରହଣ କରାଯାଇଛି। ସବୁ ବର୍ଗର କଲେଜ ଅଧ୍ୟକ୍ଷମାନେ ଅଫ୍ଲାଇନ୍ ପରୀକ୍ଷା ସମ୍ପର୍କରେ ମତ ଦେଇଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ଲାଗି ଅଧିକ ସମୟ ଦେବାକୁ ଯୁକ୍ତି ବାଢ଼ିଛନ୍ତି। ଆଭାସୀ ବୈଠକରେ ଅଧ୍ୟକ୍ଷମାନେ କହିଛନ୍ତି ଯେ କରୋନାର ତୃତୀୟ ସଂକ୍ରମଣ ଯୋଗୁଁ ପାଠପଢ଼ା ପ୍ରଭାବିତ ହୋଇଛି। ଗତ ଏକ ମାସ ଧରି କ୍ଲାସରୁମ ଶିକ୍ଷା ହୋଇପାରି ନ ଥିଲା। ତେଣୁ ମାର୍ଚ୍ଚ ମାସରେ ହେଉଥିବା ପରୀକ୍ଷାକୁ ଏପ୍ରିଲ ମାସରେ କରାଯାଉ। ଏପ୍ରିଲ ୨୫ରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ନିଷ୍ପତ୍ତି ନେଇଥିବାରୁ ସେହି ସମୟରେ ଯୁକ୍ତ୨ ପରୀକ୍ଷା କରାଯାଇପାରେ। ଏହାଦ୍ବାରା ପିଲାଙ୍କୁ ପଢ଼ିବା ଓ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ସମୟ ମିଳିବ। ଅଧିକ ବିଳମ୍ବ ହେବା ବି ଉଚିତ୍ ନୁହେଁ। ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରୁ ଆରମ୍ଭ ହେଲେ ମେ’ ୧୦ ବେଳକୁ ପରୀକ୍ଷା ଶେଷ ହୋଇଯିବ। ନିର୍ଧାରିତ ସମୟରେ ଖାତା ମୂଲ୍ୟାୟନ ସମେତ ଫଳ ପ୍ରକାଶ ପାଇପାରିବ। ମାତ୍ର ତା’ପୂର୍ବରୁ ମାର୍ଚ୍ଚ ମାସରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରାଯିବାର ଆବଶ୍ୟକତା ରହିଛି। ୬୬୨ ବର୍ଗ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଅଫ୍ଲାଇନ୍ ପରୀକ୍ଷା ସମ୍ପର୍କରେ ମତ ଦିଆଯାଇଛି। ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଏଥର ସବୁ ବର୍ଗ ପିଲାଙ୍କ ପରୀକ୍ଷା ଶ୍ରେଣୀ ଗୃହରେ କରାଯାଉ। ନ ହେଲେ ପାଠ ପାଇଁ ସମସ୍ତଙ୍କର ହେୟ ଭାବ ସୃଷ୍ଟି ହେବ। ସମସ୍ତେ ଏହାକୁ ଏକ ଉଦାହରଣ ଦେଇ କରୋନାକୁ ପ୍ରତିବର୍ଷ ସ୍ୱାଗତ କରିବେ। ଗତବର୍ଷ କିଛି ପ୍ରାୟୋଜିତ ଛାତ୍ରଙ୍କୁ ନେଇ ଆନ୍ଦୋଳନ ଓ ପରୀକ୍ଷା ନ ହେବା ଏଥର ମଧ୍ୟ ଅନୁରୂପ ଭାବେ ପ୍ରଭାବ ପଡ଼ିବାକୁ ଯାଉଛି। କୋମଳମତି ପିଲାଙ୍କୁ ବିଚିତ୍ର ଓ ବିଭିନ୍ନ ଭାଷା ଶିଖାଯାଇ ରାଜରାସ୍ତାକୁ ଆଣିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର ଯୋଗ୍ୟ। ସବୁ କଥାକୁ ଆନ୍ଦୋଳନ ମାଧ୍ୟମରେ କରାଯାଇ ନ ପାରେ। ପରିସ୍ଥିତି ସେମିତି ନ ହେଲେ କୌଣସି ସରକାର ପରୀକ୍ଷା ପାଇଁ ସହମତି ଦେବେ ନାହିଁ। ତେଣୁ ଏଥିରେ ରାଜନୀତି କମ୍ କରି ପିଲାଙ୍କ ପାଇଁ ଭଲ ନୀତି କରିପାରିଲେ ଗୋଟିଏ ସମାଜ ବଞ୍ଚିଯିବ। ଶ୍ରେଣୀ ଗୃହରେ ପରୀକ୍ଷା କରିବା ପାଇଁ ସଙ୍ଗଠନ ପକ୍ଷରୁ ସହମତି ପ୍ରକାଶ କରାଯାଇଛି। ପିଲାଙ୍କ ଭାବାବେଗକୁ ସମ୍ମାନ ଜଣାଇ ଆଉ କିଛିଦିନ ପରୀକ୍ଷା ସମୟକୁ ଘୁଞ୍ଚାଇ ଦେଲେ ଭଲ ହେବ। ଯେହେତୁ ସିବିଏସ୍ଇ ପରୀକ୍ଷା ସମୟ ଘୁଞ୍ଚାଇ ସାରିଛି, ତେଣୁ ସବୁ କଥାକୁ ହିସାବ କରି ସିଏଚ୍ଏସ୍ଇ ପରୀକ୍ଷା ସମୟ ନିର୍ଦ୍ଧାରଣ କରୁ ବୋଲି ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଯାଇଛି। ପରିଷଦର ସୂଚନା ଅନୁଯାୟୀ ଗତକାଲି କେବଳ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ମତାମତ ନିଆଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ବିଶେଷଜ୍ଞ, ଅଭିଭାବକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ମତାମତ ଲୋଡ଼ାଯିବ। ସମସ୍ତ ଅଂଶୀଦାରଙ୍କ ମତ ଅନୁଯାୟୀ ପରୀକ୍ଷା ସମୟ ଧାର୍ଯ୍ୟ ହେବ। ଏଥର ପରୀକ୍ଷା ଦେବା ଲାଗି ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ମତାମତ ନିଆଯିବା ପରେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ଓ ପ୍ରଶ୍ନପତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନା ସଂକ୍ରମଣକୁ ନଜରରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..