ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟିଠାରେ ଜନଜାତୀୟ ଗୌରବ ଦିବସ ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିସନର ଶୁଭାରମ୍ଭ କରିଥିଲେ। ସେ ପିଏମ୍ – କିଷାନର ୧୫ଶ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ ଝାଡ଼ଖଣ୍ଡ ରାଜ୍ୟରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଜନତାଙ୍କୁ ବିକଶିତ ଭାରତ ସଂକଳ୍ପ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ପରିଦର୍ଶନ କରିଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଏବଂ ରାଞ୍ଚିଠାରେ ଥିବା ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ମନେ ପକାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଝାଡଖଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ସେ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ସେ ଝାଡ଼ଖଣ୍ଡର ଲୋକମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଆଦିବାସୀ ଗୌରବ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ସଂଘର୍ଷ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅସଂଖ୍ୟ ଆଦିବାସୀ ନାୟକଙ୍କ ସହ ଝାଡ଼ଖଣ୍ଡ ମାଟିର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ତିଲକା ମାନ୍ଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ। ଦେଶର କୋଣଅନୁକୋଣରେ ଆଦିବାସୀ ଯୋଦ୍ଧାମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ମାନଗଡ଼ ଧାମର ଗୋବିନ୍ଦ ଗୁରୁ, ମଧ୍ୟପ୍ରଦେଶର ତାନ୍ତ୍ୟା ଭିଲ, ଛତିଶଗଡ଼ର ଭୀମା ନାୟକ, ସହିଦ ବୀର ନାରାୟଣ ସିଂହ, ମଣିପୁରର ବୀର ଗୁଣ୍ଡାଧୂର, ରାଣୀ ଗାଇଦିନଲିଉ, ତେଲଙ୍ଗାନାର ବୀର ରାମଜୀ ଗୋଣ୍ଡ, ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ ଏବଂ ଗୋଣ୍ଡ ପ୍ରଦେଶର ରାଣୀ ଦୁର୍ଗାବତୀଙ୍କ ବିଷୟରେ ସେ ଉଲ୍ଲେଖ କରିଥିଲେ। ଝାଡ଼ଖଣ୍ଡ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଯୋଜନା ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା। ଝାଡ଼ଖଣ୍ଡରୁ ଦୁଇଟି ଐତିହାସିକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି। ପ୍ରଥମଟି ହେଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା, ଯାହା ସରକାରଙ୍କ ଲକ୍ଷ୍ୟ ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନର ଏକ ମାଧ୍ୟମ ହେବ। ପ୍ରଧାନମନ୍ତ୍ରୀ ମୋଦୀ ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଗାଁରେ ସ୍ୱଚ୍ଛତାର ପରିସର ମାତ୍ର ୪୦ ପ୍ରତିଶତ ଥିବା ବେଳେ ଆଜି ଦେଶ ଏଥିରେ ସଂତୃପ୍ତି ପାଇଁ ଲକ୍ଷ୍ୟ ରଖିଛି। ୨୦୧୪ ପରେ ଅନ୍ୟାନ୍ୟ ଉପଲବ୍ଧି ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପେନସନ ଯୋଜନାରେ ପ୍ରତ୍ୟେକ କୃଷକ ଏବଂ ଶ୍ରମିକ ଯୋଗ ଦେବା ଏବଂ ଯୁବକମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଦ୍ରା ଯୋଜନାର ଲାଭ ଉଠାଇବା ବିଷୟରେ ବର୍ଣ୍ଣନା କରିଥିଲେ। ଭାରତର ଗରିବ, ବଞ୍ଚିତ, ମହିଳା, ଯୁବକ ଓ କୃଷକ ମାନଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..