ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଭେଦ ଦର୍ଶାଇ ଦେଶକୁ ଭାଗ ଭାଗ କରିବା ପାଇଁ ଚାଲିଥିବା ବାହାନା ସଂକ୍ରାନ୍ତରେ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ| କହିଛନ୍ତି ଯେ, ସେଭଳି ଉଦ୍ୟମ ସଫଳ ହେବନାହିଁ। ଦିଲ୍ଲୀର କ୍ୟାଣ୍ଟନ୍ମେଣ୍ଟ୍ ଅନ୍ତର୍ଗତ କାରିଆପ୍ପା ଗ୍ରାଉଣ୍ଡ୍ରେ ‘ନ୍ୟାସ୍ନାଲ୍ କ୍ୟାଡେଟ୍ କର୍ପସ୍’ (ଏନ୍ସିସି) ରାଲିରେ ଉଦ୍ବୋଧନ ଦେବା ବେଳେ ମୋଦୀ କହିଛନ୍ତି, ଗୌରବ ଅର୍ଜନ କରିବା ଲାଗି ଭାରତର ଏକମାତ୍ର ଉପାୟ ହେଉଛି ଏକତାର ମନ୍ତ୍ର। ସାଧାରଣତନ୍ତ୍ର ଦିବସରେ ଅଂଶ ଗ୍ରହଣ କରିଥିବା ‘ଏନ୍ସିସି କ୍ୟାଡେଟ୍ମାନଙ୍କୁ’ ସେ କହିଛନ୍ତି, ଦେଶର ଯୁବାମାନଙ୍କ ଯୋଗୁଁ ସମଗ୍ର ବିଶ୍ବ ଭାରତ ପ୍ରତି ଦୃଷ୍ଟି ଦେଉଛି। ତାଙ୍କ ସରକାର ଆରମ୍ଭ କରିଥିବା ଡିଜିଟାଲ୍, ଷ୍ଟାର୍ଟ-ଅପ୍ ଏବଂ ଉଦ୍ଭାବନ ବିପ୍ଳବ ଯୁବବର୍ଗଙ୍କୁ ଉପକୃତ କରୁଛି। ଭାରତର ଯୁବାଙ୍କ ପାଇଁ ଏହା ହେଉଛି ନୂତନ ସୁଯୋଗର ସମୟ। ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି ବୋଲି ଚାରିଆଡ଼େ ଜଣାପଡ଼ିଲାଣି। ଏହାଛଡ଼ା, ଦେଶକୁ ଭାଗ ଭାଗ କରିବାକୁ ଚାଲିଥିବା ଉଦ୍ୟମକୁ ସତର୍କ କରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ଭାଙ୍ଗିବା ପାଇଁ କେତେ କେତେ ବାହାନା ଖୋଜା ଚାଲିଛି। ନାନା ପ୍ରକାର କଥା ବହାର କରି ମା ଭାରତୀଙ୍କ ସନ୍ତାନମାନଙ୍କ ମଧ୍ୟରେ ବିଭେଦ ପାଇଁ ଉଦ୍ୟମ ଚାଲିଛି। ଏଭଳି ଉଦ୍ୟମ ସତ୍ତ୍ବେ ସେମାନେ ଭାରତବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିପାରିବେ ନାହିଁ। ଏହାର ଏକମାତ୍ର ପ୍ରତିକାର ହେଉଛି ଏକତାର ମନ୍ତ୍ର। ଏକତାର ମନ୍ତ୍ର ହେଉଛି ଶପଥ ଓ ଭାରତର ସାମର୍ଥ୍ୟ। ଏହାରି ମାଧ୍ୟମରେ ହିଁ ଭାରତ ମହାନତା ହାସଲ କରିପାରିବ। ସୂଚନାଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ ‘ବିବିସି ଡକ୍ୟୁମେଣ୍ଟାରି’ ଯୋଗୁଁ ଦେଶରେ ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଉପରୋକ୍ତ ବିବୃତି ଦେଇଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..