Report Card Odisha

| Daily Odia News

ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀଣିରେ ସମ୍ବୋଧନ କରିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୮ ବର୍ଷ ହେଲାଣି ଦେଶର ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛି। ବର୍ତ୍ତମାନ ଦେଶର ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରିଛି। ତେଣୁ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ଏଭଳି ଢଙ୍ଗରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପିର ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଦଳୀୟ କର୍ମୀ ଓ ନେତାମାନଙ୍କୁ ଗିରବ ଏବଂ ପ୍ରକୃତ ହିତାଧିକାରୀମାନେ ଯେମିତି ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ନ ହେବେ, ସେନେଇ ପ୍ରଚାର ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଏହା କହିଛନ୍ତି, “ଚଳିତ ମାସରେ ଏନଡିଏ ସରକାରଙ୍କୁ ୮ ବର୍ଷ ପୂରିବ। ଏହି ୮ ବର୍ଷ ମଧ୍ୟରେ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ ସେବା କରିଛୁ। ଉତ୍ତର ଶାସନ ଓ ଗରିବଙ୍କ କଲ୍ୟାଣ ପାଇଁ ଏହି ୮ ବର୍ଷ ମଧ୍ୟରେ ଅନେକ କିଛି କରାଯାଇଛି। ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ଆଶା ୮ ବର୍ଷ ମଧ୍ୟରେ ପୂରଣ ହୋଇଛି। ୮ ବର୍ଷ ଧରି ଦେଶରେ ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ୮ ବର୍ଷ ମା’, ଝିଅ ଓ ଭଉଣୀଙ୍କ ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ। ୨୦୧୪ ପରେ ବିଜେପି ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସ ଜିତି ପାରିଛି। ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ପୁଣି ବଢ଼ିଛି। ପୂର୍ବରୁ ଲୋକମାନେ ସରକାରୀ ବ୍ୟବସ୍ଥା ଉପରୁ ନିଜର ବିଶ୍ୱାସ ହରାଇ ସାରିଥିଲେ। ବର୍ତ୍ତମାନ ପୂରା ବିଶ୍ୱ ଭାରତକୁ ବେଶ ଆଶାବାଦୀ ହୋଇ ଚାହିଁ ରହିଛି। ସେହିପରି ଦେଶରେ ବିଜେପି ପ୍ରତି ଲୋକଙ୍କର ଗୋଟିଏ ସ୍ୱତନ୍ତ୍ର ଆଦର ରହିଛି। ଦେଶର ଲୋକମାନେ ବିଜେପିକୁ ଅନେକ ବିଶ୍ୱାସ ଓ ଆଶାର ସହ ଚାହିଁ ରହିଛନ୍ତି। ୨୦୧୪ ପରେ ବିଜେପି ଲୋକମାନଙ୍କୁ ନିରାଶା ମଧ୍ୟରୁ ବାହାର କରିଥିଲା। ଏବେ ଲୋକମାନେ ବିଜେପି ଠାରୁ ବହୁତ କିଛି ଚାହୁଁଛନ୍ତି। ଲୋକଙ୍କ ଆଶା ଓ ବିଶ୍ୱାସ ଆମ ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ବର୍ତ୍ତମାନ ଆମେ ସ୍ୱାଧୀନତାର ୭୫ ବର୍ଷରେ ପାଦ ଦେଇଛେ। ଏଥିପାଇଁ ଦେଶ ଆଗାମୀ ୨୫ ବର୍ଷ ପାଇଁ ନିଜର ଲକ୍ଷ୍ୟ ସ୍ଥିର କରିଛି। ତେଣୁ ବିଜେପିକୁ ମଧ୍ୟ ଆଗାମୀ ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରି ନିୟମିତ ଭାବେ ଲୋକଙ୍କ କାମ କରିବାକୁ ପଡ଼ିବ। ଦେଶବାସୀଙ୍କ ଆଶା ଆମକୁ ହିଁ ପୂରଣ କରିବା ହେବ। ଦେଶ ସାମ୍ନାରେ ଥିବା ସବୁ ପ୍ରକାରର ଚ୍ୟାଲେଞ୍ଜକୁ ଆମେ ଲୋକଙ୍କ ସହ ମିଶି ପରାସ୍ତ କରିବା। ଏଥିସହ ବିଜୟର ସଂକଳ୍ପ ସହ ଆଗକୁ ବଢ଼ିବା। ଆମର ମନ୍ତ୍ର ହେଲା ସବକା ସାଥଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ।” ଏହି ଅବସରରେ ସେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିବା ପଛାଇ ନାହାନ୍ତି। ଦେଶର ବିକାଶମୂଳକ ପ୍ରସଙ୍ଗରୁ କିଛି ରାଜନୀତିକ ଦଳ ଧ୍ୟାନଚ୍ୟୁତ କରିବାକୁ ଚାହୁଁଛନ୍ତି। କିନ୍ତୁ ଆମ ସମସ୍ତଙ୍କୁ ଦେଶର ବିକାଶମୂଳକ ପ୍ରସଙ୍ଗରେ ହିଁ ରହିବାକୁ ପଡ଼ିବ ବୋଲି ମୋଦି ପରାମର୍ଶ ଦେଇଛନ୍ତି।

Breaking News