Report Card Odisha

| Daily Odia News

କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ଅଗଷ୍ଟ ୨୬ ତାରିଖରେ ସିନ୍ଧୁଦୁର୍ଗ ଜିଲାର ମାଲଓ୍ବନଠାରେ ସ୍ଥାପିତ ଶିବାଜୀଙ୍କ ୩୫ ଫୁଟ ଉଚ୍ଚ ପ୍ରତିଭୂର୍ତ୍ତି ଭାଙ୍ଗିଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଗଭୀର ଦୁଃଖିତ ପ୍ରକାଶ କରିବା ସହିତ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି। ଶିବାଜୀ ମହାରାଜ ଆମମାନଙ୍କ ପାଇଁ ଦେବତା ଏବଂ ଭାରତୀୟ ଇତିହାସର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ବୋଲି ଶୁକ୍ରବାର ମହାରାଷ୍ଟ୍ରର ପାଲଘରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୋଦୀ କହିଥିଲେ। ମୋଦୀ କହିଥିଲେ, ଛତ୍ରପତି ଶିବାଜୀ ମହାରାଜ ଆମ ପାଇଁ କେବଳ ଗୋଟିଏ ନାଁ ନୁହନ୍ତି। ଆଜି ମୁଁ ମୋ ମୁଣ୍ଡ ନୁଆଁଇ ମୋ ଭଗବାନ ଛତ୍ରପତିଙ୍କୁ କ୍ଷମା ମାଗୁଛି। ଯେଉଁମାନେ ଛତ୍ରପତିଙ୍କୁ ନିଜର ଭଗବାନ ବୋଲି ମାନନ୍ତି, ସେମାନଙ୍କୁ ବି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୪ ତାରିଖରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଛତ୍ରପତିଙ୍କ ଅବଦାନ ଏବଂ ଐତିହାସିକ ମରାଠା ନୌସେନା ପ୍ରତି ସମ୍ମାନ ଜଣାଇ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ତେବେ ପ୍ରତିମୂର୍ତ୍ତି ଭାଙ୍ଗିଯିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲା। ମୋଦୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ମୁମ୍ବଇ କଂଗ୍ରେସ ସଭାପତି ତଥା ସାଂସଦ ବର୍ଷା ଗାଏକ୍ଵାଡ୍‌ ଦାବି କରିଥିଲେ।

Breaking News