Report Card Odisha

| Daily Odia News

୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ :ପ୍ରଧାନମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶ ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ଆଜି ଆମେ ସେମାନଙ୍କ ନିକଟରେ ନତମସ୍ତକ ହୋଇ ସେମାନଙ୍କୁ ସ୍ମରଣ କରୁଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ନିମନ୍ତେ ଆଜି ଆମେ ସ୍ୱାଧୀନତାର ନିଶ୍ୱାସ ନେବାକୁ ସକ୍ଷମ ହୋଇ ପାରୁଛୁ। ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ପ୍ରତି ଆମେ ଆମର ସମ୍ମାନ ଜଣାଇଥାଉ। ଜାତୀୟ ପ୍ରତିରକ୍ଷା ତଥା ରାଷ୍ଟ୍ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ତଥା ପ୍ରତିବଦ୍ଧତା ସହିତ ଦେଶକୁ ସୁରକ୍ଷା ଦେଉଥିବା ମହାନ ବ୍ୟକ୍ତିମାନେ ମଧ୍ୟ ଦେଶକୁ ନୂତନ ଉଚ୍ଚତାକୁ ନେବାକୁ ଚେଷ୍ଟା କରୁଛନ୍ତି। ସେମାନେ ଆମର କୃଷକ ହୁଅନ୍ତୁ, ଆମର ସୈନିକ ହୁଅନ୍ତୁ କିମ୍ବା ଆମର ଯୁବବର୍ଗଙ୍କର ସାହସ ହେଉ, ଆମ ମା ଏବଂ ଭଉଣୀ ହୁଅନ୍ତୁ ସେମାନଙ୍କର ଅବଦାନ ଦେଶକୁ ଆଗକୁ ବଢ଼ିବାରେ ସହାୟତା କରୁଛି। ସ୍ୱାଧୀନତା ପ୍ରତି ତାଙ୍କର ଭକ୍ତି, ଗଣତନ୍ତ୍ର ପ୍ରତି ତାଙ୍କର ଭକ୍ତି। ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି । ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ସେ କହିଛନ୍ତି । ଦେଶବାସୀ ଉନ୍ନତି ଏବଂ ପ୍ରଗତିର ସଙ୍କଳ୍ପ ନେଇ ଆଗକୁ ବଢିପାରିବେ । ଯେତେବେଳେ ଆମ ଦେଶର ଜନସଂଖ୍ୟା ମାତ୍ର ୪୦ କୋଟି ଥିଲା, ଆମେ ସେତେବେଳେ ବିଦେଶୀ ଶକ୍ତି ବିରୋଧରେ ଲଢ଼ି ସ୍ୱାଧୀନତା ପାଇଥିଲୁ । ଆଜି ତ ଆମେ ୧୪୦ କୋଟିରେ ପହଞ୍ଚିଲୁଣି। ଦିନ ଥିଲା, ଯେତେବେଳେ ଦେଶ ପାଇଁ ମରିବାକୁ ଲୋକେ ପ୍ରତିଶ୍ରୁତିବଦ୍ଧ ଥିଲେ। ମାତ୍ର ଆଜି ଦେଶ ପାଇଁ ବଞ୍ଚିବାର ଦିନ । ଯଦି ଦେଶ ପାଇଁ ମରିବାର ପାଗଳପଣ ଆମକୁ ସ୍ୱାଧୀନତା ଆଣି ଦେଇଥିଲା ତେବେ ଦେଶ ପାଇଁ ବଞ୍ଚିବାର ଆଗ୍ରହ ସମୃଦ୍ଧ ଭାରତ କରିବ । ଆମେ ସବୁବେଳେ ‘ଦେଶ ପ୍ରଥମ’ ସଙ୍କଳ୍ପ ନେଇ ସେହି ଅନୁଯାୟୀ କାମ କରୁଛି। ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଗଲାଣି। ଲାଲକିଲ୍ଲାରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଦେଶର ୧୮ ହଜାର ଗାଁରେ ସମୟ ସୀମା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି ବୋଲି କହିଲେ ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପର ସଲାମୀ ଦିଆଯାଇଥିଲା। ଏହି ସମାରୋହରେ ପ୍ରାୟ ୬ ହଜାର ଅତିଥି ଆମନ୍ତ୍ରୀତ ହୋଇଛନ୍ତି।

Breaking News