Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ଆବାସରୁ ବାଦ୍ ପଡ଼ିବେ ୫୦,୭୨୩ ଅଯୋଗ୍ୟ ହିତାଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାକୁ ରାଜନୈତିକ ବିବାଦ ଲାଗିରହିଛି । ଏହା ଭିତରେ କିଏ ଯୋଗ୍ୟ କିଏ ଅଯୋଗ୍ୟ ତାହା ପରଖିବା ପାଇଁ ସରକାରଙ୍କ ପକ୍ଷରୁ ଅନଲାଇନ, ଦୂରଭାଷ ଓ ବାକ୍ସ ଜରିଆରେ ଅଭିଯୋଗ ସଂଗ୍ରହ କରାଯାଇଥିଲା। ପଞ୍ଚାୟତିରାଜ ବିଭାଗକୁ ମିଳିଥିବା ଲକ୍ଷାଧିକ ଅଭିଯୋଗ ମଧ୍ୟରୁ ପ୍ରାୟ ୫୦ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ରହିଥିବା ନିକଟରେ ଯାଞ୍ଚରୁ ଜଣାଯାଇଛି। ପୂର୍ବରୁ ଅଯୋଗ୍ୟଙ୍କୁ ନେଇ ବିରୋଧୀ ଯେଉଁ ଅଭିଯୋଗ କରିଥିଲେ ତାହା ଏବେ ସ୍ପଷ୍ଟ ହୋଇଛି। ସରକାରଙ୍କ ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଉଁମାନେ ଯୋଗ୍ୟ ଏବଂ କେଉଁମାନେ ଅଯୋଗ୍ୟ ସେ ନେଇ ସରକାର ଜାଣିବା ପାଇଁ ୨୦୨୨ରେ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅଭିଯୋଗ ସଂଗ୍ରହ କରାଯାଇଥିଲା। ସରକାରଙ୍କ ନିକଟକୁ ଯେଉଁ ତଥ୍ୟ ଆସିଛି ସେ ଅନୁଯାୟୀ ୧ଲକ୍ଷ ୮ହଜାର ୨୪୩ ଅଭିଯୋଗ ମଧ୍ୟରୁ ୫୦ହଜାର ୭୨୩ଟି ଅଯୋଗ୍ୟ ବୋଲି ପ୍ରାଥମିକ ପର୍ଯ୍ୟାୟ ଯାଞ୍ଚରୁ ଜଣାଯାଇଛି। ଯଦି ଏହାକୁ ଭଲ ଭାବେ ତର୍ଜମା କରାଯିବ ଅଧିକ ଅଯୋଗ୍ୟ ବାହାରି ପାରନ୍ତି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୂରସଞ୍ଚାର ଜରିଆରେ ରାଜ୍ୟ ସରକାରଙ୍କୁ ୫୭ହଜାର ୬୮୧ଟି ଅଭିଯୋଗ ପହଞ୍ଚିଥିବାବେଳେ ଦୂରଭାଷ ଜରିଆରେ ୧୧ ହଜାର ୬୯ ଏବଂ ବାକ୍ସ ଜରିଆରେ ୩୯ହଜାର ୪୯୩ ଅଭିଯୋଗ ପହଞ୍ଚିଥିଲା। ଏହାକୁ କ୍ଷେତ୍ରୀୟ ଯାଞ୍ଚ କରାଯିବା ପରେ ୫୭ହଜାର ୫୨୦ଜଣ ଯୋଗ୍ୟ ରହିଥିବାବେଳେ ୫୦ହଜାର ୭୨୩ ଅଯୋଗ୍ୟ ବାହାରିଛନ୍ତି। ପୁରୀରେ ସର୍ବାଧିକ ୯ହଜାର ୪୭୫ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବାବେଳେ ଦେବଗଡ଼ରେ ସର୍ବନିମ୍ନ ୩୦ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଭଦ୍ରକରେ ୭୨୫୯, ଢେଙ୍କାନାଳରେ ୪୪୧୭, କେନ୍ଦ୍ରାପଡାରେ ୩୬୦୪, ବାଲେଶ୍ବରରେ ୩୨୧୪, କେନ୍ଦୁଝରରେ ୨୬୨୭, ଯାଜପୁରରେ ୨୪୩୨ ଅଯୋଗ୍ୟ ବାହାରିଥିବାବେଳେ ଅବଶିଷ୍ଟ ଜିଲାଗୁଡିକରେ ୨ହଜାର ତଳକୁ ରହିଛନ୍ତି।
୨୦୨୨ ସୁଦ୍ଧା ସବୁ ଗରିବଙ୍କ ମୁଣ୍ଡ ଉପରକୁ ଛାତ ଯୋଗାଇବା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଥିଲେ ହେଁ ହିତାଧିକାରୀ ମନୋନୟନରେ ତ୍ରୁଟି ଯୋଗୁଁ ପ୍ରକୃତ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ  ସାତସପନ ପାଲଟିଛି।

Breaking News