ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଅଧିକୃତ କାଶ୍ମୀରରେ ଏବେ ଜନସାଧାରଣ ପାକ୍ ସରକାର ଓ ସେନା ବିରୋଧରେ ବଡ଼ ଧରଣର ବିଦ୍ରୋହ ଆରମ୍ଭ କରିଛନ୍ତି। ଅତ୍ୟାବଶ୍ୟକ ସୁବିଧାସୁଯୋଗରୁ ବଞ୍ଚିତ ହୋଇ ହଜାର ହଜାର ଜନତା ଆନ୍ଦୋଳନର ପନ୍ଥା ଅବଲମ୍ବନ କରିଥିବା ବେଳେ ୫୦ରୁ ଅଧିକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆନ୍ଦୋଳନକାରୀମାନେ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେବା ସହ ତତ୍କାଳ ସ୍ବାଧୀନତା ପ୍ରଦାନ କରିବାକୁ ଦାବି କରିଛନ୍ତି। କେତେକ ସ୍ଥାନରେ ପୋଲିସ ବାହିନୀ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ହଟାଇବାରୁ ତୀବ୍ର ଉତ୍ତେଜନା ଲାଗିରହିଛି। ପାକିସ୍ତାନ ସେନା ପିଓକେରୁ ହଟିଯିବାରୁ ଦାବି କରି ଲୋକେ ରାସ୍ତାକୁ ଓହ୍ଲାଇବାରୁ ସେନାର ଚିନ୍ତା ବଢ଼ିଯାଇଛି। ସେନା ପିଓକେରେ ମାନବାଧିକାର ଉଲ୍ଲଂଘନ କରିବା ସହ ନିରୀହ ଲୋକଙ୍କ ଉପରେ ଜୁଲମ ଚଳାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଗିଲଗଟି ବାଲ୍ତିସ୍ତାନ ଏବଂ ବଲୁଚିସ୍ତାନରେ ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ସପ୍ତାହେ ହେଲା ଜୋରଦାର ବିରୋଧ ପ୍ରଦର୍ଶନ ଚାଲିଛି। ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜଫରାବାଦରେ ପ୍ରବଳ ବିରୋଧକୁ ନେଇ ପୁଲିସ ଓ ସେନା ମୁତୟନ ବଢ଼ାଇ ଦିଆଯାଇଛି। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ପିଓକେବାସୀଙ୍କ ପ୍ରତି କ୍ରମାଗତ ଅବହେଳା ଓ ଉପେକ୍ଷା ଦେଖାଇଚାଲିଛି। ଏହାର ପରିଣାମ ସ୍ବରୂପ ଲୋକେ ବିଦ୍ରୋହର ରାସ୍ତା ବାଛି ନେଇଛନ୍ତି ବୋଲି କୁହାଯାଉଛି। ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ସେମାନଙ୍କର ଏକମାତ୍ର ଦାବି ସ୍ବାଧୀନତା ବୋଲି କହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ରହୁଥିବା ଲୋକେ ତୁରନ୍ତ ସେମାନଙ୍କୁ ପାକିସ୍ତାନରୁ ସ୍ବାଧୀନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାର୍ତ୍ତା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ଭାରତର ପୂର୍ବତନ ସେନା ମୁଖ୍ୟ ଭି.କେ. ସିଂହ ପିଓକେ ଆନ୍ଦୋଳନ ନେଇ କହିଛନ୍ତି, ପିଓକେ ଭାରତରେ ଆପେ ମିଶିବାକୁ ଯାଉଛି ଏବଂ ଏଥିପାଇଁ ଧୈର୍ଯ୍ୟ ରଖିବାକୁ ପଡ଼ିବ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..