ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ପୋଲିସର ସରକାରଙ୍କ ହାତବାରିସି ସାଜି କାମ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିଜେପି ସରକାର ସମୟରେ ଘଟିଥିବା ପ୍ରମୁଖ ଆପରାଧିକ ଘଟଣାଗୁଡ଼ିକର ଏକ ଲମ୍ବା ତାଲିକା ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ। ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ ଡିଜିଙ୍କୁ ଭେଟି ପୋଲିସର ବିବାଦୀୟ ଭୂମିକା ଉପରେ ସ୍ମାରକପତ୍ର ପ୍ରଦାନ କରିବ। ଯଦି ତାହା ପରେ ସ୍ଥିତି ସୁଧାର ନ ଆସେ, ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଉଭୟ ନେତା କହିଥିଲେ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣର ଅଭିଯୋଗ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏକତରଫା ରହିଛି। ଏହି ଘଟଣାରେ ଶ୍ରୀ ସାହୁଙ୍କ ଦ୍ବାରା ଦିଆଯାଇଥିବା ଭିନ୍ନ ଭିନ୍ନ ମନ୍ତବ୍ୟକୁ ଅନୁଧ୍ୟାନ କଲେ ବିଧାୟକଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ବିଧାୟକ ଡିଡିଏମ୍ଙ୍କ ଅଫିସ ଯାଉଥିଲେ ବୋଲି ତାଙ୍କ ମନ୍ତବ୍ୟରେ କହିଛନ୍ତି। କିନ୍ତୁ କେଉଁ କାମ ପାଇଁ ରାତିରେ ସେ ଡିଡିଏମ୍ ଅଫିସ ଯାଉଥିଲେ? ସେ ଚାନ୍ଦା ଆଣିବାକୁ ନା ଦେବାକୁ ଯାଉଥିଲେ, ତାହା ସେ ସ୍ପଷ୍ଟ କରିବା ଦରକାର। ବିଧାୟକଙ୍କୁ ଆକ୍ରମଣର କୌଣସି ଭିଡିଓ ଦେଖିବାକୁ ମିଳୁ ନାହିଁ। ତେଣୁ ଏହି ଆକ୍ରମଣ ଅଭିଯୋଗର ସତ୍ୟତାକୁ ନେଇ ସନ୍ଦେହ ରହିଛି। ଅପର ପକ୍ଷରେ ବିଧାୟକଙ୍କ ସମର୍ଥକମାନେ ଠେଙ୍ଗା ଓ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ବୁଲୁଥିବାର ଭିଡିଓ ଦେଖିବାକୁ ମିଳିଛି। ବିଧାୟକ ଗଣମାଧ୍ୟମକୁ ଦେଉଥିବା ବୟାନରେ ତାଳମେଳ ରହୁ ନାହିଁ। ବିଧାୟକ ମଦ ପିଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଏକ ମିଥ୍ୟା ଅଭିଯୋଗ ମାଧ୍ୟମରେ ସମବେଦନା ପାଇବାକୁ ଅପଚେଷ୍ଟା କରୁଛନ୍ତି। ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ନଥିଲେ ମଧ୍ୟ କେବଳ ଅଭିଯୋଗ ଉପରେ ପୁଲିସ ଗିରଫ କରିଛି। ପୋଲିସ ପ୍ରଶାସନ ବିଜେପିର ହାତବାରିସି ନ ସାଜି ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରିବାକୁ ଡିଜି ହସ୍ତକ୍ଷେପ କରିବା ପାଇଁ ଶ୍ରୀମତୀ ମଲ୍ଲିକ ଓ ଶ୍ରୀ ଦାସବର୍ମା ଦାବି କରିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……