ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ । ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି। ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ । ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସହ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ । ପୋଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସର ପାଲଟା ଗୁଳମାଡରେ ରଘୁ ବିଶ୍ୱାଳ ଆହତ ହୋଇଥିଲା । ତା’ର ବାମ ଗୋଡରେ ଗୁଳି ବାଜିଛି । ତା’ ନିକଟରୁ 7.5 mm ର ଏକ ପିସ୍ତଲ ଜବତ ହୋଇଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ରାତି ପ୍ରାୟ ୩ଟା ବେଳେ ମଞ୍ଚେଶ୍ୱର ପୋଲିସକୁ ଖବର ଆସିଲା ବାଲିଯାତ୍ରା ପଡ଼ିଆ ରାସ୍ତା ଦେଇ ଲୋକେ ଯିବା ବାଟରେ ଦୁଇ ଯୁବକ ସେମାନଙ୍କୁ ଅଟକାଉଛନ୍ତି। ଖବର ପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସେମାନଙ୍କ ନିକଟକୁ ଯିବାରୁ ସେମାନେ ବାଇକ୍ରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସ ଚାରିପଟୁ ଘେରି ଦେବାରୁ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ପୋଲିସ ପାଲଟା ଗୁଳି ଚାଳନା କରିବାରୁ ରଘୁ ବିଶ୍ୱାଳ ଗୋଡ଼ରେ ବାଜିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ପୁନିଆ ଫେରାର ହୋଇ ଯାଇଛନ୍ତି। ପୁନିଆ ଓ ରଘୁର ଅନ୍ୟ ସହଯୋଗୀଙ୍କୁ ଖୋଜିବାକୁ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ ଫୋର୍ସ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛନ୍ତି ।





More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……