ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଅଗ୍ରଗତି ଅନେକ ଦେଶକୁ ଅନୁପ୍ରାଣିତ କରିଛି। ଭାରତକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ରହିଛି। ଦେଶବାସୀ ଏକ ରାଷ୍ଟ୍ର ହିସାବରେ ଯାହା ହାସଲ କରିଛନ୍ତି ତାହାର ପାଳନ ହେଉଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କହିଛନ୍ତି। ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ଦ୍ରୌପଦୀଙ୍କର ଏହା ପ୍ରଥମ ସାଧାରଣତନ୍ତ୍ର ଦିବସ ସମ୍ଭାଷଣ। ରାଷ୍ଟ୍ରପତି କହିଛନ୍ତି, ଭାରତରେ ଏକାଧିକ ମତ ଏବଂ ଭାଷା ରହିଛି। ଏସବୁ ଦେଶକୁ ଭାଗ ଭାଗ ନକରି ବରଂ ଏକାଠି କରିଛି। ଏହା ହିଁ ଭାରତର ସାରାଂଶ। ଏଥିପାଇଁ ଭାରତ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ସଫଳ ହୋଇଛି। ୭୪ତମ ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ସେ ଦେଶରେ ଏବଂ ଦେଶ ବାହାରେ ବାସ କରୁଥିବା ଭାରତୀୟମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦେଶର ଯାତ୍ରା ଚକିତ କରିବା ଭଳି ହୋଇଛି ଏବଂ ଅନେକ ଦେଶକୁ ଏହା ଅନୁପ୍ରାଣିତ କରିଛି। ଭାରତର କାହାଣୀ ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ପାଲଟିଛି। ଆମେ ଯେତେବେଳେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ ସେତେବେଳେ ରାଷ୍ଟ୍ର ଭାବେ ମିଳିତଭାବେ ହାସଲ କରିଥିବା ସଫଳତାକୁ ପାଳନ କରୁଛୁ। ବିଶ୍ବରେ ତିଷ୍ଠି ରହିଥିବା ପ୍ରାଚୀନ ସଭ୍ୟତା ମଧ୍ୟରେ ଭାରତ ଅନ୍ୟତମ। ସ୍ବାଧୀନତା ପରେ ଆମେ ଅଗଣିତ ସମସ୍ୟାର ସାମ୍ନା କରିବା ସହ ପ୍ରତିକୂଳତା ଦେଇ ଗତି କରିଛୁ। ଦୀର୍ଘଦିନର ବିଦେଶୀ ଶାସନ ଫଳରେ ଦେଶରେ ଦାରିଦ୍ର୍ୟ ଓ ନିରକ୍ଷରତା ହାର ବହୁ ଅଧିକ ଥିଲା। ତେବେ ଭାରତର ଆବେଗ କେବେ ବି ଅବଦମିତ ହୋଇନାହିଁ। ଆଶା ଓ ବିଶ୍ବାସର ସହିତ ଭାରତ ମାନବ ସଭ୍ୟତାର ଇତିହାସରେ ଅଦ୍ବିତୀୟ ପରୀକ୍ଷଣ କରିଛି। ବିବିଧ ବର୍ଗର ଏବଂ ବହୁସଂଖ୍ୟକ ଲୋକ ଗୋଟିଏ ଦେଶ ଭାବେ ବସବାସ କରିବା ଅଭୂତପୂର୍ବ। ଆମେ ସମସ୍ତେ ଏକ ଏବଂ ଭାରତୀୟ ବୋଲି ଭାବନା ପାଇଁ ଏହା ହୋଇପାରିଛି। ସମ୍ବିଧାନର ମୂଳ ପ୍ରାଣରେ ଏହି ସାରାଂଶ ରହିଛି। ଯେଉଁ ସମ୍ବିଧାନ ଭାରତର ସାଧାରଣତନ୍ତ୍ରକୁ ପରିଚାଳିତ କରୁଛି ତାହା ସ୍ବାଧୀନତା ସଂଗ୍ରାମର ଫଳ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମ କେବଳ ଆମକୁ ସ୍ବାଧୀନତା ଦେଇ ନଥିଲା ବରଂ ଆମ ନିଜ ଆଦର୍ଶକୁ ପୁନଃ ଆବିଷ୍କାର କରିବାର ସୁଯୋଗ ଦେଇଥିଲା। ବିପ୍ଳବୀ ଏବଂ ସଂସ୍କାରକମାନେ ଦୂରଦୃଷ୍ଟିସଂପନ୍ନ ଏବଂ ଆଦର୍ଶ ବ୍ୟକ୍ତିମାନଙ୍କ ସହଯୋଗରେ ଶାନ୍ତି, ଭ୍ରାତୃଭାବ ଏବଂ ସମାନତା ଭଳି ମୂଲ୍ୟବୋଧ ସଂପର୍କରେ ଶିକ୍ଷା ଦେଇଥିଲେ। ତିଷ୍ଠି ରହିଥିବା ବିଶ୍ବର ଅନ୍ୟତମ ପ୍ରାଚୀନ ସଭ୍ୟତା ଭାରତର ସମ୍ବିଧାନ ମାନବିକ ଦର୍ଶନ ଏବଂ ନିକଟ ଅତୀତରେ ବିକାଶ ଲାଭ କରିଥିବା ନୂଆ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ। ଡ. ବିଆର୍ ଆମ୍ବେଦକର, ଯାହାଙ୍କ ନେତୃତ୍ବରେ ସମ୍ବିଧାନ ପ୍ରଣୟନ କମିଟି ଗଠନ ହୋଇଥିଲା, ତାଙ୍କ ନିକଟରେ ଦେଶ ସର୍ବଦା କୃତଜ୍ଞ ରହିବ। ଆଜିର ଦିନରେ ସମ୍ବିଧାନର ପ୍ରାରମ୍ଭିକ ଚିଠା ପ୍ରସ୍ତୁତ କରିଥିବା ବିଚାରପତି ବିଏନ୍ ରାଉ ଓ ଅନ୍ୟମାନଙ୍କୁ ମଧ୍ୟ ଆମେ ସ୍ମରଣ କରିବା ଆବଶ୍ୟକ। ସମ୍ବିଧାନ ସଭାରେ ସବୁ ଧର୍ମ ଏବଂ ଗୋଷ୍ଠୀର ଲୋକଙ୍କୁ ସାମିଲ କରାଯାଇଥିଲା। ଏପରିକି ୧୫ ଜଣ ମହିଳା ମଧ୍ୟ ଏଥିରେ ସାମିଲ ଥିଲେ। ସମ୍ବିଧାନରେ ରହିଥିବା ସେମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ନିରବଚ୍ଛିନ୍ନ ଭାବେ ବାଟ ଦେଖାଉଛି। ଭାରତ ଆଜି ବିଶ୍ବର ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ଅର୍ଥନୀତିରେ ପରିଣତ ହୋଇଛି। ମହିଳା ସଶକ୍ତୀକରଣ ଏବଂ ଲିଙ୍ଗଗତ ସମାନତା ଆଉ କେବଳ ସ୍ଳୋଗାନ ହୋଇ ରହିନାହିଁ। ଏ କ୍ଷେତ୍ରରେ ଆମେ ଯଥେଷ୍ଟ ଅଗ୍ରଗତି ହାସଲ କରିଛୁ। ଭାରତ ଜି-୨୦ର ସଭାପତିତ୍ବ ପଦବିରେ ରହିଥିବା ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଭାରତର ଗଣତନ୍ତ୍ର ଏବଂ ବହୁପାକ୍ଷିକ ବ୍ୟବସ୍ଥା ସଂପର୍କରେ ପ୍ରଚାର କରିବା ସହିତ ଏକ ସୁନ୍ଦର ବିଶ୍ବ ଏବଂ ଉତ୍ତମ ଭବିଷ୍ୟତ ଗଠନ ଲାଗି ଏହା ଏକ ସୁଯୋଗ ଆଣିଛି ବୋଲି ରାଷ୍ଟ୍ରପତି କହିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..