Report Card Odisha

| Daily Odia News

ଫ୍ଲୋରେନ୍ସ ନାଇଟ୍‌‌ଏଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଫ୍ଲୋରେନ୍ସ ନାଇଟ୍‌‌ଏଙ୍ଗଲ ପୁରସ୍କାର ପ୍ରଦାନ କରିଛନ୍ତି । ସମାଜ ପ୍ରତି ସେବିକା (ନର୍ସ) ମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୨୨ ଓ ୨୦୨୩ ବର୍ଷ ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଦୁଇ ବର୍ଷ ପାଇଁ ମୋଟ ୩୦ଜଣଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୧୯୭୩ ମସିହାରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ଓଡ଼ିଶାର ୨ ଜଣ ସେବିକା ଏହି ସମ୍ମାନ ଜନକ ଫ୍ଲୋରେନ୍ସ ନାଇଟ୍‌‌ଏଙ୍ଗଲ ପୁରସ୍କାର ପାଇଛନ୍ତି । ୨୦୨୨ ପାଇଁ ସେବତୀ ସାହୁ ଓ ୨୦୨୩ ପାଇଁ ମଞ୍ଜୁଲତା ମହାରଣାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା କଣାସ ବ୍ଲକ ସାହାସପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣାଙ୍କୁ ଏହି ପୁରସ୍କାର ଦିଆଯାଇଛି । ବନ୍ୟା ସମୟରେ କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ଚାରି ଜଣ ଗର୍ଭବତୀ ମହିଳାଙ୍କୁ ମଞ୍ଜୁଲତା ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେହିଭଳି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସିଂ ଅଫିସର ସେବତୀ ସାହୁଙ୍କୁ କୋଭିଡ୍‌‌ ସମୟରେ ଉଲ୍ଲେଖନୀୟ ସେବା ଲାଗି ୨୦୨୨ ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟ୍‌‌ଏଙ୍ଗଲ ପୁରସ୍କାର ମିଳିଛି।

Breaking News