Report Card Odisha

| Daily Odia News

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟ ରାଜକୋଟ୍‌ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଧଓ୍ବଲ ଠକ୍କରଙ୍କୁ ରାଜସ୍ଥାନର ଆବୁ ରୋଡ୍ ରୁ ବନାସକାଣ୍ଠା ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି। ଧଓ୍ବଲ ଅଗ୍ନିକାଣ୍ଡ ପରେ ସହର ଛାଡି ପଳାଇଥିଲା। ରାଜସ୍ଥାନର ଜଣେ ସମ୍ପର୍କୀୟଙ୍କ ଘରେ ଯାଇ ଲୁଚିଥିଲା ଧଓ୍ବଲ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏବେବି ଦୁଇ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି। ପୂର୍ବରୁ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି। ଅନ୍ୟପଟେ ରାଜକୋଟ୍‌ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ରାଜ୍ୟ ସରକାର ୭ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦେଶ ଦେଇଥିଲେ। ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରୁ ଏନ୍‌ଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) ମିଳିନଥିବାବେଳେ ସେଠାରେ କେବଳ ଗୋଟିଏ ପ୍ରସ୍ଥାନ ଦ୍ବାର ରହିଥିଲା। ଘଟଣାର ତଦନ୍ତ ନିମନ୍ତେ ଏସ୍‌ଆଇଟି ଗଠନ କରାଯାଇଛି ବୋଲି ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଂଘଭୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ରାଜକୋଟ ପୋଲିସ କମିସନର ରାଜୁ ଭାର୍ଗବ, ଅତିରିକ୍ତ ପୋଲିସ କମିସନର ବିଧି ଚୌଧୁରୀ ଏବଂ ଡିସିପି ସୁଧୀର କୁମାର ଦେଶାଇଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଭାର୍ଗବଙ୍କ ସ୍ଥାନରେ ବ୍ରଜେଶ କୁମାର ଝା, ବିଧି ଚୌଧୁରୀଙ୍କ ସ୍ଥାନରେ ମହେନ୍ଦ୍ର ବାଗାଡିଆ ଏବଂ ସୁଧୀର ଦେଶାଇଙ୍କ ସ୍ଥାନରେ ଜଗଦୀଶ ବାଙ୍ଗୱାରାଙ୍କୁ ଅବସ୍ଥାପିତ କରାଯାଇଛି। ତେବେ ଗୁଜରାଟର ରାଜକୋଟ ସହରରେ ଥିବା ଟିଆରପି ଗେମ ଜୋନ୍‌ରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ଶିଶୁଙ୍କ ସମେତ ମୋଟ ୩୩ ଜଣ ପ୍ରାଣ ହରାଇଥିଲେ।

Breaking News