ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିମାଚଳ ପ୍ରଦେଶର ଶିମଲା ଅନ୍ତର୍ଗତ ସଞ୍ଜୌଲି ଅଞ୍ଚଳରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ବିକ୍ଷୋଭକାରୀଙ୍କ ଘଉଡ଼ାଇବା ପାଇଁ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଛି। ପୋଲିସ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମଧ୍ୟ ମାଡ଼ କରାଯାଇଛି। ଏହି ଘଟଣାରେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ସଞ୍ଜୌଲି ଅଞ୍ଚଳରେ ଥିବା ଗୋଟିଏ ମସଜିଦରେ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ହିନ୍ଦୁ ସଂଗଠନ ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏଠାରେ ବେଆଇନ ଭାବେ ପ୍ରଥମ ମହଲାରେ ନିର୍ମାଣ କାମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମସଜିଦରେ ବେଆଇନ ଭାବେ ନିର୍ମାଣ ହେଉଥିବା ଦାବି କରି ଆଜି କିଛି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ହିମାଚଳ ସରକାର ସଞ୍ଜୌଲି ଅଞ୍ଚଳରେ କଟକଣା ଲଗାଇଥିଲେ। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା। ହେଲେ ବିକ୍ଷୋଭକାରୀମାନେ ଏହାକୁ ହଟାଇ ଧାଲ୍ଲି ଟନେଲରେ ପ୍ରବେଶ କରିଥିଲେ। ଏହି ଟନେଲ ସଞ୍ଜୌଲି ଅଞ୍ଚଳକୁ ସଂଯୋଗ କରୁଛି।ବିକ୍ଷୋଭକାରୀମାନେ ଟନେଲ ଦେଇ ନିର୍ମାଣ ଚାଲିଥିବା ମସଜିଦ ଆଡ଼କୁ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ସ୍ଥିତି ବେକାବୁ ହେବାରୁ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ କରିବା ସହ ସେମାନଙ୍କ ଉପରକୁ ପାଣି ମାଡ଼ କରିଛି। ଏହାବାଦ ଶିମଲାରେ ଆଉ କିଛି ସ୍ଥାନରେ ମଧ୍ୟ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି,“ପରିସ୍ଥିତି ପୂରା ସ୍ପଷ୍ଟ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। ସରକାର ମଧ୍ୟ ସମାନ କଥା କହିଛନ୍ତି। କିନ୍ତୁ ଶାନ୍ତି ଭଙ୍ଗ ହେବା ଭଳି ସ୍ଥିତି ସୃଷ୍ଟି ନ ହେବା ଉଚିତ। ପୋଲିସ ସବୁ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କଟକଣା ଲଗାଇଥିଲା। ପୂରା ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଥିଲା। ପୋଲିସ କୁ ଆଇନ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି। ପୋଲିସ ସେହି ଅନୁସାରେ ପଦକ୍ଷେପ ନେବ। ବେଆଇନ ନିର୍ମାଣ ଅଭିଯୋଗର ବିଚାର ଚାଲିଛି। ଶୁଣାଣି ସରିବା ପରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ। ଆମେ ପୂର୍ବରୁ କହି ସାରିଛୁ ଓ ଏବେ ବି କହୁଛୁ ଯେ ଯଦି କୌଣସି ବେଆଇନ କାମ ହୋଇଥିବ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାକୁ ଭଙ୍ଗା ଯିବ।” ମସଜିଦ ନିର୍ମାଣକୁ ନେଇ ବିବାଦ ଚାଲିଥିବା ବେଳେ ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଥିଲେ। ଉତ୍ତେଜନା ଆଶଙ୍କାରେ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଥିଲା। ବୁଧବାର ସକାଳ ୭ଟାରୁ ରାତି ୧୧.୫୯ ଯାଏ ସଞ୍ଜୌଲିରେ କଟକଣା ଲାଗୁ କାରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଏଠାରେ ଲାଗୁ କରାଯାଇଛି। ଏହାର ଅର୍ଥ ବିନା ଅନୁମତିରେ ୫ ଜଣ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ। ତଥାପି ହିନ୍ଦୁ ସଂଗଠନର ଶତାଧିକ ଲୋକ ଏକାଠି ହୋଇ ସଞ୍ଜୌଲିରା ପ୍ରବେଶ ପାଇଁ ଚେଷ୍ଟା କରିଥିଲେ। ଏଥିଯୋଗୁ ପୁଲିସ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..