Report Card Odisha

| Daily Odia News

ଅଖିଳେଶଙ୍କ ଘର ବାହାରେ ପୋଲିସ ଗାଡି ଜାଳିଦେଲେ ପ୍ରତିବାଦକାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୋମବାର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାସଭବନ ବାହାରେ ପ୍ରତିବାଦକାରୀମାନେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଲକ୍ଷ୍ମୀପୁର ଖେରି ଯାତ୍ରାରେ ପୋଲିସ ବାଧା ଦେବାରୁ ନିଜ ବାସଭବନ ନିକଟରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କ ଧାରଣାସ୍ଥଳ ଠାରୁ ମାତ୍ର ଅଳ୍ପ କେତେ ମିଟର୍‌ ଦୂରରେ ଘଟଣାଟି ଘଟିଛି। ପୋଲିସ କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଗୋଟାଏ ଭିଡିଓରେ ଦେଖାଯାଉଛି। ଜଣେ ପୋଲିସ କର୍ମଚାରୀ କହିଛନ୍ତି, କିଏ ନିଆଁ ଲଗାଇଲା ମୁଁ ଜାଣେନି। ଆମେ ଭିତରକୁ ଯାଇଥିବା ବେଳେ କେହି ନିଆଁ ଲଗାଇ ଦେଇଛି। ଉଲ୍ଲେଖଯୋଗ୍ୟ, ରବିବାର ଦିନ ଲକ୍ଷ୍ମୀପୁର ଖେରିରେ କୃଷକମାନଙ୍କ ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ନେଇ ଯାଉଥିବା କାର୍‌ ଦଳେ ପ୍ରତିବାଦକାରୀଙ୍କ ଉପରେ ଚଢ଼ାଇ ଦେଇଥିବା କଥା କୃଷକ ସଙ୍ଗଠନ ସବୁ ଦାବି କରିଛନ୍ତି। ଉପରୋକ୍ତ ଘଟଣା ଲାଗି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଦାବି କରି ଆଜି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ଲକ୍ଷ୍ନୌସ୍ଥିତ ବାସଭବନ ବାହାରେ ଧାରଣା ଦେଇଛନ୍ତି। ସେ କହିଛନ୍ତି, ଏ ସରକାର ରାଜନେତାମାନଙ୍କୁ ଲକ୍ଷ୍ମୀପୁର ଖେରି ଛାଡୁନାହିଁ। ସରକାର କ’ଣ ଲୁଚାଉଛି? ଏ ସରକାର କୃଷକମାନଙ୍କ ଉପରେ ଯେଭଳି ଅତ୍ୟାଚାର ଚଳାଇଛି, ବ୍ରିଟିସର୍ସମାନେ ବି ସେଭଳି କରି ନ ଥିବେ। ମୃତ କୃଷକଙ୍କ ଆତ୍ମୀୟଙ୍କୁ ୨ କୋଟି ଟଙ୍କା ଏବଂ ସରକାରୀ ଚାକିରି ଦେବା ଉଚିତ।

Breaking News