Report Card Odisha

| Daily Odia News

ରଥ ଉପରେ ମୋବାଇଲ୍‌ ବ୍ୟବହାର କରିପାରିବେ ନାହିଁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଠାକୁରଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଶୃଙ୍ଖଳା ହେଲେ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି। ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଡକ୍ଟର ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପରେ ଏଭଳି କହିଛନ୍ତି | ଆଡ଼ପ ପହଣ୍ଡିବେଳେ ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବା ଘଟଣାର ଯେପରି ଆଉ ପୁନରାବୃତ୍ତି ନଘଟେ, ସେଥିପ୍ରତି ଧ୍ୟାନ ଦିଆଯିବ। ଯିଏ ବିଶୃଙ୍ଖଳା ଆଚରଣ କରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସେବା ସହ ଜଡ଼ିତ ନଥିବା କୌଣସି ବ୍ୟକ୍ତି ରଥ ଉପରକୁ ଯାଇ ପାରିବେନି। ଏମିତିକି ରଥ ଉପରେ କେହି ମୋବାଇଲ୍‌ ବ୍ୟବହାର କରିପାରିବେ ନାହିଁ ବୋଲି ନବନିଯୁକ୍ତ ମୁଖ୍ୟ ପ୍ରଶାସକ କହିଛନ୍ତି। ମୁଣ୍ଡ ଉପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସହ ରତ୍ନଭଣ୍ଡାର ଗଣତି ଓ ମଣତି ସହ ମରାମତି କାମ। ଯାହାକି ଅରବିନ୍ଦଙ୍କ ପାଇଁ ଏକରୁ ଆରେକ ବଡ଼ ବଡ଼ ଗୁରୁଦାୟିତ୍ୱ। ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକଙ୍କ ଆଗରେ ରହିଛି ଆହୁରି ଅନେକ ଚ୍ୟାଲେଞ୍ଜ। ସେ ଗୁଡ଼ିକ ହେଲା ଠାକୁରଙ୍କ ନୀତିକାନ୍ତିରେ ଶୃଙ୍ଖଳା, ତରୁଣ-ପ୍ରବୀଣ ଓ ଅଭିଜ୍ଞ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, ୪ ଦ୍ୱାର ଖୋଲାଯିବା ପରେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ, ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ଅନ୍ନ ବ୍ରହ୍ମ ବ୍ୟବସ୍ଥାର ଶୁଭାରମ୍ଭ ସହ ଡ୍ରେସ୍ କୋଡ୍ ନିୟମ ଲାଗୁ ଏବଂ ପରିକ୍ରମା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା। ଅବଶ୍ୟ ଶ୍ରୀମନ୍ଦିର ସମ୍ପର୍କିତ କୌଣସି ବିବାଦକୁ କିପରି ନିର୍ଣ୍ଣାୟକ ମୋଡକୁ ନିଆଯାଏ, ସେଥିରେ ଅରବିନ୍ଦ ସିଦ୍ଧହସ୍ତ। ପୂର୍ବରୁ ୨୦୧୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ଦାୟିତ୍ୱରେ ଥିଲେ ।

Breaking News