Report Card Odisha

| Daily Odia News

ସାଂସଦ ଅପରାଜିତାଙ୍କୁ ଅଟକାଇଲା ପୋଲିସ…..

ରିପୋର୍ଟ କାର୍ଡ / ପୁରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ବିବାଦ ଜାରିରହିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶହ ଶହ ସମର୍ଥକଙ୍କ ଗହଣରେ ପୁରୀ ଗସ୍ତକରିଛନ୍ତି। ଅଧା ବାଟରେ ସାଂସଦଙ୍କୁ ପୋଲିସ ଅଟକାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସାଂସଦ ଅପରାଜିତା । ଚନ୍ଦନପୁର ନିକଟରେ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ରାଲି କୌଣସି ଦଳୀୟ ଅଭିଯାନ ନୁହେଁ । ସବୁ ଦଳର ଲୋକମାନେ ଏହି ରାଲିରେ ସାମିଲ ହୋଇଛନ୍ତି । ମୁଁ ଚାଲି ଚାଲି ପୁରୀ ଗସ୍ତ କରିବି, ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାର ଅନୁମତି ନେବାର ଦରକାର ନାହିଁ । ଏହା ବିଜେପିର କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବିଭିନ୍ନ ଦଳର ଲୋକମାନେ ଏହି ରାଲିରେ ସାମିଲ୍ ହୋଇଛନ୍ତି । ଯଦି ସରକାର ସବୁକିଛି ଠିକ୍ କରୁଛନ୍ତି, ତେବେ ଡରୁଛନ୍ତି କାହିଁକି? ବୋଲି ପ୍ରଶ୍ନ କରିଥିଲେ | ଦୀର୍ଘ ସମୟର ଆଲୋଚନା ପରେ ପ୍ରଶାସନିକ ଗାଡ଼ିରେ ସାଂସଦଙ୍କୁ ଯିବାକୁ କୁହାଯାଇଥିବା ବେଳେ ସେ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ଏକୁଟିଆ ଚାଲିକି ଯିବି ବୋଲି କହିଥିଲେ। ମୋ ଗସ୍ତ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ ବୋଲି ମଧ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଆଶ୍ୱାସନା ଦେଇଥିଲେ।ମୁଁ ବି ଜଣେ ପ୍ରଶାସନିକ ଅଧିକାରୀ ଥିଲି। ତେଣୁ ସେମାନଙ୍କ ଅସୁବିଧାକୁ ମୁଁ ଭଲ ଭାବେ ବୁଝୁଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେମାନେ ବାଧ୍ୟ, ତେଣୁ ମୁଁ ସେମାନଙ୍କୁ କୌଣସି ଅସୁବିଧାରେ ପକାଇବି ନାହିଁ। ମୋ’ ସହ ଶହ ଶହ ଲୋକ ଯିବାର ଆବଶ୍ୟକତା ନାହିଁ । ଏକୁଟିଆ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବି। ମୋ’ ସହ କେବଳ ୨ ପୁରୁଷ ଓ ଜଣେ ମହିଳା ଯିବେ । ୧୦ଟାରୁ ୩ ପର୍ଯ୍ୟନ୍ତ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଥିବା ଶୁଣିବାକୁ ପାଉଛି। ଯାହାବି ହେଲେ ବାହାରିଛି ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବି ବୋଲି କହିଛନ୍ତି ସାଂସଦ ଷଡଙ୍ଗୀ । ଏଠାକୁ କାହାକୁ ବିରୋଧ କରିବାକୁ ଆସିନି । କେବଳ କାଳିଆ ଠାକୁରର ଦର୍ଶନ ଚାହୁଁଛି । ରାଜ୍ୟ ସରକାରଙ୍କ ଆଦେଶ ଶିରୋଧାର୍ଯ୍ୟ। ଯଦି ସରକାର ଚାହୁଁଛନ୍ତି ମୁଁ ଚାଲି ଚାଲି ୮ କିମି ଯିବି, ତା’ ହେଲେ ଯିବି ବୋଲି କହିଛନ୍ତି ଅପରାଜିତା।

Breaking News