Report Card Odisha

| Daily Odia News

ଭକ୍ତଙ୍କ ଅସନ୍ତୋଷ ପରେ ଆଜିଠୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ପୁରୀ

ଭକ୍ତଙ୍କ ତୀବ୍ର ଅସନ୍ତୋଷ ପରେ ତତ୍ପରତା ଦେଖାଇଛି ଶ୍ରୀ ମନ୍ଦିର ପ୍ରଶାସନ। ଆଜିଠାରୁ କାର୍ତ୍ତିକ ପଞ୍ଚୁକ ଆରମ୍ଭ ହେଉଥିବାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରିବାକୁ ସ୍ଥିର ହୋଇଛି। ଶ୍ରୀଜୀଉଙ୍କ ନିତିକାନ୍ତିକୁ ସମୟାନୁବର୍ତ୍ତୀ କରିବା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଏବଂ ଶୌଚାଳୟ ଯୋଗାଇ ଦେବାକୁ ସେଥିରେ ସ୍ଥିର କରାଯାଇଛି। ବ୍ୟାରିକେଡ୍‌ ବୃଦ୍ଧି ସହ ଶତାଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଦଳା ଚକଟା ପରିସ୍ଥିତି ଏଡ଼ାଇବା ପାଇଁ ଅଧିକ ଗହଳି ହେଉଥିବା ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ସିଂହଦ୍ବାର ସମ୍ମୁଖରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଏକ ସହାୟତା କକ୍ଷ ଖୋଲାଯିବ। ପୂର୍ବପରି ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପୁରୀ ବାହାର ଭକ୍ତ ଭିତରେ ପ୍ରବେଶ କରିବେ। ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ବ୍ୟବସ୍ଥା ଏବଂ ଭିଡ଼ ନିୟନ୍ତ୍ରଣ ତଦାରଖ ଦାୟିତ୍ବରେ କିଛି ପ୍ରଶାସନିକ ଏବଂ ପୁଲିସ ଅଧିକାରୀଙ୍କୁ ରଖାଯିବ। ଏହାଛଡ଼ା ନିର୍ଦ୍ଧାରିତ ସମୟରେ ପ୍ରଭୁଙ୍କ କାର୍ତ୍ତିକ ମାସ ନିତିକାନ୍ତି କରିବାକୁ ସେବକଙ୍କୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ନାଟ ମଣ୍ଡପ ଏବଂ ଜଗମୋହନରେ ଗହଳି ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ମନ୍ଦିର ପ୍ରଶାସନ। ଭକ୍ତଙ୍କ ଭାବାବେଗ ପ୍ରତି ତାଙ୍କର ସମ୍ମାନ ରହିଥିବା ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।

Breaking News