ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମୋଦି ସରନେମ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ରାୟ ପରେ ରାହୁଳ ଗାନ୍ଧି ପୁଣି ଥରେ ୱେନାଡ଼ ସାଂସଦ ଭାବେ କାର୍ଯ୍ୟ କରିପାରିବେ। ତେବେ, ସେଥିପାଇଁ ଲୋକସଭା ବାଚସ୍ପତି ତାଙ୍କର ସଦସ୍ୟତା ରଦ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ହେବ। ରାୟ ଶୁଣାଇ ସୁପ୍ରିମ୍ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା। ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ। କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍ମାନଙ୍କୁ ବି ପ୍ରଭାବିତ କରୁଛି । ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟଙ୍କୁ ଖୁବ୍ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଜଷ୍ଟିସ ବି. ଆର ଗୋୱାଇ, ଜଷ୍ଟିସ ପି.ଏସ୍ ନରସିଂହା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ୩ ଜଣିଅ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ରାହୁଲଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ଏହି ମାମଲାରେ ରାହୁଲଙ୍କୁ ମିଳିଥିବା ଦଣ୍ଡ ଅତ୍ୟନ୍ତ କଠୋର। କାରଣ ମୋଦି ସମୁଦାୟର କୌଣସି ଆକାର ନ ଥିବା ବେଳେ ଏହା ଏକ ଅପରିଭାଷିତ ସମୁଦାୟ ଅଟେ। ଆବେଦନକାରୀଙ୍କ ନିକଟରେ ମାନହାନୀ ମାମଲା କରିବାର କୌଣସି ଅଧିକାର ନାହିଁ। ମୋଦି ସରନେମ ଲୋକ ବହୁ ସମୁଦାୟରେ ବିଭକ୍ତ ହୋଇ ରହିଛନ୍ତି। କାରଣ ରାହୁଲଙ୍କ ବିରୋଧରେ ଏହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂର୍ଣ୍ଣେଶ ମୋଦି ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ସରନେମ୍ ମୋଦି ନୁହେଁ। ସେ ମୋଧ ବଣିକ ସମାଜରୁ ଆସିଛନ୍ତି। ଏଥିସହ ରାହୁଲ ଗାନ୍ଧି ନିଜ ଭାଷଣ ସମୟରେ ନିର୍ଦ୍ଦିଷ୍ଟ ଭାବେ ଜଣେ ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରି ଟାର୍ଗେଟ କରି ନାହାନ୍ତି। ଏଥିସହ ସିଂହବୀ କହିଛନ୍ତି, ମୋଦି ସରନେମ ମାମଲା ଭାଜପା ପଦାଧିକାରୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଛି। ଏହା ଏକ ରାଜନୈତିକ ଚାଲ। ଏହା ପଛରେ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହେଉଛି। ରାହୁଲ ଗାନ୍ଧି ଏହି ସବୁ ମାମଲାରେ କେବଳ ଅଭିଯୁକ୍ତ, ଦୋଷୀ ନୁହନ୍ତି। ଏଥିସହ ସେ କହିଛନ୍ତି ରାହୁଲ ଗାନ୍ଧି ନିଜ ଭାଷଣ ସମୟରେ ଯେଉଁମାନଙ୍କ ନାମ ନେଇଥିଲେ ସେମାନଙ୍କ ମଧ୍ୟରୁ କେହି ବି କେସ୍ ଦାଏର କରି ନାହାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ମୋଦି ସମୁଦାୟର ଯେଉଁମାନେ ପୀଡ଼ିତ ସେମାନଙ୍କ ମଧ୍ୟରୁ କେବଳ ଜଣେ ଭାଜପା କାର୍ଯ୍ୟକର୍ତ୍ତା ହିଁ ମାମଲା ରୁଜୁ କରିଛନ୍ତି। ଏହା ଖୁବ୍ ଆଶ୍ଚର୍ଯ୍ୟଜନକ। ଏଥିସହ ସିଂହବୀ କହିଛନ୍ତି, ଏକ ଗଣତନ୍ତ୍ର ରାଷ୍ଟ୍ରରେ କ’ଣ ଜଣେ ସ୍ୱତନ୍ତ୍ର ଭାବେ ନିଜ ଭାବନାକୁ ବ୍ୟକ୍ତ କରି ପାରିବନି। ଏହା କୌଣସି ଜଘନ୍ୟ ଅପରାଧ ସହ ସମ୍ପୃକ୍ତ ନ ଥିବା ବେଳେ ଏହାକୁ କିନ୍ତୁ ଭୁଲ୍ ଭାବେ ଚିତ୍ରଣ କରାଯାଇଛି। ଏହି ମାମଲାର କୌଣସି ଅପରାଧିକ ଦିଗ ନାହିଁ। ମୋ ମହକିଲ କେବଳ ଜଣେ ଅଭିଯୁକ୍ତ। ଏଥିସହ ସେ କହିଛନ୍ତି, ରାହୁଲଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ। ଅଭିଯୋଗକାରୀ କେବଳ ନିଜ ହ୍ୱାଟସ୍ ଆପ୍କୁ ଆସିଥିବା ପେପର କଟିଂକୁ ଅଧାର କରି ଏହି ମାମଲା କରିଛନ୍ତି। ହେଲେ ସେ ମୋଦି ସମୁଦାୟ ବିରୋଧରେ ଦେଇଥିବା ଭାଷଣର କୌଣସି ପ୍ରମାଣ ନାହିଁ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..