ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆୟକର ବିଭାଗର ତଦନ୍ତକାରୀ ଶାଖା ପୂର୍ବତନ ‘ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍’ର ପରିଚାଳନା ନିର୍ଦ୍ଦେଶିକା ଚିତ୍ରା ରାମକୃଷ୍ଣାଙ୍କ ଘରେ ଚଢ଼ାଉ କରିଛି। ଚେନ୍ନାଇ ଓ ମୁମ୍ବାଇରେ ଥିବା ଘରେ ଆୟକର ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି | ‘ଏନ୍ଏସ୍ଇ’ର ମୁଖ୍ୟ ଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ସୂଚନା ସେୟାର୍ କରିଥିବା ସଂକ୍ରାନ୍ତରେ ତାଙ୍କୁ ଓ ତାଙ୍କର ପୂର୍ବତନ ଉପଦେଷ୍ଟାଙ୍କୁ ଫେବ୍ରୁଆରି ୧୧ ତାରିଖରେ ‘ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା | ଏହା ପରଠାରୁ ସେ ବିବାଦୀୟ ହୋଇପଡ଼ିଥିଲେ। ‘ଚିଫ୍ ଷ୍ଟ୍ରଟେଜିକ୍ ଅଫିସର୍’ ଭାବେ ଆନନ୍ଦ ସୁବ୍ରମଣିୟାନ୍ଙ୍କ ନିଯୁକ୍ତି ବେଳେ ଅନିୟମିତତା କାରଣରୁ ‘ସେବି’ ତାଙ୍କ ଉପରେ ୩ କୋଟି ଟଙ୍କା ଜରିମାନା କରିଛି। ପ୍ରାପ୍ତ ସୂଚନା ଅନୁସାରେ, ‘ସେବି’ ଆଦେଶ ଜାରି ହେବା ପରେ ଆଜି ସକାଳେ ଆରମ୍ଭ ହୋଇଥିବା ଏହି ଚଢ଼ାଉର ଆୟକର ବିଭାଗର ମୁମ୍ବାଇ ଶାଖା ନେତୃତ୍ବ ନେଇଛି। ଅଜ୍ଞାତ ବ୍ୟକ୍ତିଜଣକ ହେଉଛନ୍ତି ହିମାଳୟର ବାସ କରୁଥିବା ଜଣେ ଯୋଗୀ। ରାମକୃଷ୍ଣାଙ୍କ ଅଫିସ ଇମେଲ୍ରେ ଉକ୍ତ ଯୋଗୀଙ୍କ ନିକଟକୁ ସୂଚନା ସେୟାର୍ ହେଉଥିଲା ଏବଂ ଯୋଗୀ ମଧ୍ୟ ଅନୁରୂପ ଭାବେ ପ୍ରତ୍ୟୁତ୍ତର ଦେଉଥିଲେ। ଏକଥା ପୂର୍ବରୁ ରାମକୃଷ୍ଣା ସ୍ବୀକାର କରିଥିଲେ। ରାମକୃଷ୍ଣା ଏବଂ ଅନ୍ୟମାନଙ୍କର ଟିକସ ପରିମାଣ ଫାଙ୍କି ଏବଂ ଆର୍ଥିକ ଅନିୟମିତା ଜାଣିବା ଉଦ୍ଦେଶ୍ୟରେ ତଲାସ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ଏପ୍ରିଲ୍ ରୁ ୨୦୧୬ ଡିସେମ୍ବର ପର୍ଯ୍ୟନ୍ତ ରାମକୃଷ୍ଣ ‘ଏନ୍ଏସ୍ଇ’ର ‘ଏମ୍ଡି’ ଏବଂ ‘ସିଇଓ’ ଥିଲେ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..