ରିପୋର୍ଟ କାର୍ଡ / ଭୁବନେଶ୍ୱର
କାଳବୈଶାଖୀ ପ୍ରଭାବରେ ରବିବାର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ବହିବା ସହ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ମଙ୍ଗଳବାର କାଳବୈଶାଖୀ ପ୍ରଭାବ ବଢ଼ିବ। ସ୍ଥଳବିଶେଷରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର ୧୩ ଜିଲାକୁ ସତର୍କତା ଜାରି କରାଯାଇଛି। ରବିବାର ବାଲେଶ୍ବର, ଭୁବନେଶ୍ବର, ଗୋପାଳପୁର, ହୀରାକୁଦ, ବଲାଙ୍ଗୀର, ଦାରିଙ୍ଗବାଡ଼ି ଏବଂ ବରଗଡ଼ରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ କିମି ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ଏଥିସହିତ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ରହିଛି। ବାକି ଜିଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ରବିବାର ପ୍ରାୟ ଅଞ୍ଚଳରେ ସର୍ବାଧିକ ତାପମାତ୍ରା କମିଛି। ସମ୍ବଲପୁରରେ ଦିନ ତାପମାତ୍ରା ୩୭.୭ଡିଗ୍ରୀ ଥିବାବେଳେ ବୌଦ୍ଧ ୩୭.୧ଡିଗ୍ରୀ, ଟିଟିଲାଗଡ଼ ୩୭.୨ଡିଗ୍ରୀ, ବଲାଙ୍ଗୀର ୩୭ଡିଗ୍ରୀ, ଭୁବନେଶ୍ବର ୩୫.୭ଡିଗ୍ରୀ ଏବଂ କଟକରେ ୩୫.୨ଡିଗ୍ରୀ ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..