Report Card Odisha

| Daily Odia News

ପରାସ୍ତ ହେବା ଭୟରେ ଗେହ୍‌ଲଟ୍‌ ମିଛ କହୁଛନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୩ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଯିବା ଆଶଙ୍କାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ମିଛ କହୁଛନ୍ତି ବୋଲି ରବିବାର ରାତିରେ ‘ବିଜେପି’ ନେତ୍ରୀ ବସୁନ୍ଧରା ରାଜ‌େ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୦ରେ କଂଗ୍ରେସ ବିଧାୟକମାନଙ୍କ ବିଦ୍ରୋହ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଆଉ ୨ଜଣ ‘ବିଜେପି’ ନେତା ତାଙ୍କ ସରକାରକୁ ରକ୍ଷା କରିଥିଲେ ବୋଲି ଅଶୋକ ଗେହ୍‌ଲଟ୍‌ କହିବା ପରେ ରାଜେ ପ୍ରତିକ୍ରିୟା ବ୍ୟକ୍ତ କରି ଏମିତି କହିଛନ୍ତି। ଜାରି କରିଥିବା ଔପଚାରିକ ବିବୃତିରେ ରାଜେ କହିଛନ୍ତି, ୨୦୨୩ ବିଧାନସଭା ନିର୍ବାଚନରେ ହାରିଯିବା ଭୟରେ ଅଶୋକ ଗେହ୍‌ଲଟ୍‌ ମିଛ କହୁଛନ୍ତି। ଅଶୋକ ଗେହ୍‌ଲଟ୍‌ଙ୍କ ପ୍ରଶଂସା ହେଉଛି ମୋ ବିରୋଧରେ ବଡ଼ ଷଡ଼ଯନ୍ତ୍ର। ଅମିତ ଶାହ, ଯାହାଙ୍କ ସାଧୁତା ଓ ନିଷ୍ଠା ସୁପରିଚିତ, ତାଙ୍କୁ ମଧ୍ୟ ସେ ଆକ୍ଷେପ କରି କହିଛନ୍ତି। ଜୀବନରେ ଅଶୋକ ଗେହ୍‌ଲଟ୍‌ ଯେତେ ଅପମାନ ଦେଇଛନ୍ତି, ରାଜସ୍ଥାନରେ ମତେ ସେତେ ଅପମାନ ଅନ୍ୟ କେହି ଦେଇ ପାରିବେ ନାହିଁ। ନିଜ ଦଳର ବିଦ୍ରୋହ ଯୋଗୁଁ ଥରହର ହୋଇ ସେ ଏ ଭଳି ମିଥ୍ୟା ପ୍ରଶଂସା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ଦିନ ‌ଧୋଲ୍‌ପୁରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଗେହ୍‌ଲଟ୍‌ କହିଥିଲେ, ୩ଜଣ ‘ବିଜେପି’ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୂର୍ବତନ ବିଧାନସଭା ବାଚସ୍ପତି କୈଳାସ ମେଘୱାଲ୍‌ ଏବଂ ବିଧାୟକ ଶୋଭାରାଣୀ କୁଶୱାହଙ୍କ ସମର୍ଥନ କାରଣରୁ ମୋ ସରକାର ବଞ୍ଚିଗଲା।

 

 

Breaking News