Report Card Odisha

| Daily Odia News

ଗାଡ଼ିରେ ନିଆଁ ଲାଗି ଜଳିଗଲେ ୩ ଯବାନ, ୫ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗଙ୍ଗାନଗର ଜିଲ୍ଲାରେ ସେନାବାହୀନିର ଏକ ଗାଡ଼ିରେ ନିଆଁ ଲାଗି ଯିବାରୁ ୩ ଜଣ ଯବାନ ଜିଅନ୍ତା ଜଳି ଯାଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଗତରାତି ପ୍ରାୟ ୨.୩୦ରେ ସୁରତଗଡ଼-ଚତରଗଡ଼ ରାସ୍ତାର ଇନ୍ଦିରା ଗାନ୍ଧୀ କେନାଲ୍‌ର ୩୩୦ଆର୍‌ଡି ଏହି ଅଘଟଣ ଘଟିଛି। ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଜିପ୍‌ସି କାର୍‌ଟି ଗୋଟାଏ ଖାତରେ ଓଲଟି ପଡ଼ି ନିଆଁ ଲାଗିଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଗାଡ଼ି ଓଲଟି ପଡ଼ିବା ପରେ ଅଚେତ ହୋଇପଡ଼ିବା କାରଣରୁ ସେହି ୩ଜଣ ଯବାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଯବାନଙ୍କ ମଧ୍ୟରେ ଥିବା ଜଣେ ସୁବେଦାରଙ୍କର ପରିଚୟ ମିଳିପାରି ନାହିଁ। ଦଗ୍ଧ ହୋଇଯାଇଥିବା ଅନ୍ୟ ଦୁଇଜଣ ଯବାନ ହେଉଛନ୍ତି କନେଷ୍ଟବଳ ଦେବ କୁମାର ଏବଂ ବାହିଲଦାର ଏସ୍‌କେ ଶୁକ୍ଳା। ଆହତ ଯବାନଙ୍କ ମଧ୍ୟରେ ଅଛନ୍ତି, ଅଙ୍କିତ ବାଜପେୟୀ, ଉମେଶ ଯାଦବ, ଆଶିଷ କୁମାର ଓଝା ଏବଂ ବବ୍‌ଲୁ। ସମସ୍ତେ ଭତିଣ୍ଡା ଅନ୍ତର୍ଗତ ୪୭ ଆର୍ମୋଡ୍‌ର ସଦସ୍ୟ। ଗ୍ରାମବାସୀମାନେ ଆସି ନିଆଁ ଲିଭାଇବା ପୂର୍ବରୁ ତିନି ଯବାନଙ୍କ ଦେହାନ୍ତ ହୋଇସାରିଥିଲା। ରାଜିଆସର ପୁଲିସ ଘଟଣାସ୍ଥଳରେ ପହଞ୍ଚି ୫ ଆହତ ଯବାନଙ୍କୁ ସୁରତଗଡ଼ ଟ୍ରମା ହସ୍ପିଟାଲ୍‌କୁ ନେଇଥିଲେ। ଏକ ସାମରିକ ଅଭ୍ୟାସରେ ଯୋଗ ଦେଇ ଉପରୋକ୍ତ ଯବାନମାନେ ପ୍ରତ୍ୟାବର୍ତ୍ତନ କରୁଥିଲେ।

Breaking News