Report Card Odisha

| Daily Odia News

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ…..

ରିପୋର୍ଟ କାର୍ଡ / ପୁରୀ

ଆଜି ହେଉଛି ପବିତ୍ର ଘୋଷଯାତ୍ରା | ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ | ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପଡେ | ଆଜିଠାରୁ ନଅ ଦିନପାଇଁ ମା ଲକ୍ଷ୍ମୀଙ୍କୁ ଛାଡି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ମାଉସୀ ମାଙ୍କ ଘରକୁ ଯିବେ | ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡଦାଣ୍ଡ ହୋଇଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ସିଂହଦ୍ୱାର ସମ୍ମୁଖରେ ବିଜେ କରି ସାରିଛନ୍ତି । ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ରଥ, ପଥ, ଭକ୍ତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ। ରଥଗୁଡ଼ିକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯାଇଛି । ଶ୍ରୀକ୍ଷେତ୍ରକୁ ଛୁଟିବାରେ ଲାଗିଛି ଭକ୍ତଙ୍କ ସୁଅ। ହରିବୋଲ, ହୁଳହୁଳି ଏବଂ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପୁରୀ ସହର। ଜଳ, ସ୍ଥଳ ଓ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ରଥଯାତ୍ରା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି। ମଙ୍ଗଳବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥ ଅଭିମୁଖେ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଶ୍ରୀମସ୍ତକରେ ମନମୁଗ୍ଧକର ଟାହିଆ ଲଗାଇ ସେବକ ଓ ଭକ୍ତଙ୍କ ମେଳରେ ଝୁଲି ଝୁଲି ରଥ ଉପରକୁ ପହଣ୍ଡି ବିଜେ କରିବେ ପରଂବ୍ରହ୍ମ। ବେଶ ଶେଷ ହୋଇ ୮ଟାରୁ ୯ଟା ଖେଚୁଡ଼ି ଭୋଗ ହେବ। ଏହାପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ଖୁଣ୍ଟିଆ ‘ମଣିମା’ ଡାକ ଦେବା ସହିତ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ। ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି। ଏବେଠାରୁ ବଡ଼ଦାଣ୍ଡରେ ବହୁ ଭକ୍ତଙ୍କ ସମାଗମ ହେଲାଣି। ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ୧୮୭ ପ୍ଲାଟୁନ ଫୋର୍ସ, ୧ହଜାର ପୋଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

Breaking News