ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ହୋଇଛି | ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା କହିଛନ୍ତି। ଗୁରୁବାର ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି। ଏଥିରେ କ୍ଷୁବ୍ଧ ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନ୍ୟାୟ ପାଇଁ ଏବଂ ଲୋକଙ୍କ ସ୍ବାର୍ଥପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ପଦବିକୁ ନେଇ ମୁଁ ଚିନ୍ତିତ ନୁହେଁ। ଆମର ଅନୁରୋଧ ସତ୍ତ୍ବେ ଆନ୍ଦୋଳନରତ ଡାକ୍ତର ବୈଠକକୁ ଆସିଲେନାହିଁ। ୨ ଘଣ୍ଟାର ଅପେକ୍ଷା ପରେ ବି ସେମାନଙ୍କଠାରୁ କିଛି ଉତ୍ତର ମିଳିଲାନି ବୋଲି ମମତା କହିଛନ୍ତି। ଆର୍ଜି କର ମେଡିକାଲ କଲେଜ ମାମଲା ବିଚାରାଧୀନ ଥିବାରୁ ସରକାର-ଆନ୍ଦୋଳନକାରୀଙ୍କ ଆଲୋଚନାର ସିଧାପ୍ରସାରଣ କରାଯାଇପାରିବ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି। ଆମେ ଡାକ୍ତରଙ୍କ ସହ ବୈଠକର ଭିଡିଓ ରେକର୍ଡିଂ ପାଇଁ ବ୍ୟବସ୍ଥା କରିପାରିବୁ। ଏହି ରେକର୍ଡିଂକୁ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଆମେ ସେୟାର କରିପାରିବୁ ବୋଲି ମମତା କହିଛନ୍ତି। ଆନ୍ଦୋଳନରତ ଡାକ୍ତରଙ୍କ ସହ କଥାବାର୍ତ୍ତା ପାଇଁ ୩ ଥର ଚେଷ୍ଟା କଲି, କିନ୍ତୁ ଡାକ୍ତରମାନେ ଆସିଲେନି। ମୁଁ ନ୍ୟାୟ ଚାହେ ଏବଂ କିଭଳି ଭାବେ ନ୍ୟାୟ ମିଳିବ ସେ ନେଇ ଚିନ୍ତିତ। ଏବେ ବି ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ମମତା କହିଛନ୍ତି | ମୁଖ୍ୟ ସଚିବ ମନୋଜ ପନ୍ତ କହିଛନ୍ତି, ଆମେ ଆନ୍ଦୋଳନରତ ଡାକ୍ତରଙ୍କୁ ଅପରାହ୍ଣରେ ଇମେଲ୍ କଲୁ ଏବଂ ସେମାନେ ଆଲୋଚନା ପାଇଁ ରାଜିଥିବା କହିଲେ ଏବଂ ସଚିବାଳୟ ସମ୍ମୁଖରେ ପହଞ୍ଚିବା ପରେ ସେମାନଙ୍କ ଆଭିମୁଖ୍ୟ ବଦଳାଇଦେଲେ। ଆମେ ୩୨ ଜଣଙ୍କୁ ବୈଠକରେ ଯୋଗ ଦେବାପାଇଁ ଅନୁମତି ଦେଲୁ। କିନ୍ତୁ ସେମାନେ ବୈଠକର ସିଧା ପ୍ରସାରଣ ଦାବି କରିବାରୁ ଅଚଳାବସ୍ଥାର ଅବସାନ ହୋଇପାରୁନି। ଆମେ ଏଥିପାଇଁ ଅନୁମତି ଦେଇପାରିବୁନି ବରଂ ଆମେ ବୈଠକର ରେକର୍ଡିଂ କରିପାରିବୁ। ଏହାପରେ ଡାକ୍ତରମାନେ କହିଛନ୍ତି ଯେ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ସରକାରଙ୍କ ସହ ବୈଠକରେ ସାମିଲ ହେବେନାହିଁ। ମୁଖ୍ୟ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁଇ ଘଣ୍ଟା କାଳ ଅପେକ୍ଷା କରିଥିଲେ ବି କେହି ବୈଠକ ପାଇଁ ଆସିନାହାନ୍ତି। ଆମେ ସେମାନଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲୁ। ସମସ୍ତ ପ୍ରକାର ବ୍ୟବସ୍ଥା ସଂକ୍ରାନ୍ତରେ ବି ବୁଝାଇବାକୁ ଚେଷ୍ଟା କଲୁ। କିନ୍ତୁ ସେମାନେ ବୁଝୁନାହାନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗ ଡିଜି ରାଜୀବ କୁମାର କହିଛନ୍ତି, ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ପାଇଁ ଦାବି କରିବା ଅଯୌକ୍ତିକ। ଏଯାବତ କୌଣସି ବି ସରକାରୀ ବୈଠକର ସିଧାପ୍ରସାରଣ କରାଯାଇନି। ସମସ୍ତ ୩୨ ଡାକ୍ତରଙ୍କୁ ଆମେ ବୈଠକରେ ବସିବାପାଇଁ ଅନୁମତି ଦେଉଛୁ ବୋଲି ସେ କହିଛନ୍ତି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……