ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଗତ ୨ ଦିନ ତଳେ IPS ସ୍ତରରେ ଅଦଳ ବଦଳ କରିଥିବା ବେଳେ ଶନିବାର ୯ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ଦୀର୍ଘବର୍ଷ ଧରି ପ୍ରସ୍ତାବିତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଶନିବାର ସେଠାରେ ଓଏଏସ୍ ଅଧିକାରୀ ସରୋଜ କୁମାର ବେହେରାଙ୍କୁ ପ୍ରଶାସନିକ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ୨୦୦୫ ମସିହାରୁ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଥିବାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ଏହାକୁ ବିଧାନସଭାର ଅନୁମୋଦନ ମିଳିଥିଲା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ବରିଷ୍ଠ ଓଏଏସ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ସେଠାରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେହିପରି କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶ୍ରୀଧର ନାୟକଙ୍କୁ ରାଜ୍ୟ ସୂଚନା କମିଶନ ସଚିବ ଭାବେ ବଦଳି କରାଯାଇଥିବାବେଳେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ହେବେ । ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଧରିତ୍ରୀ ମିଶ୍ରଙ୍କୁ ଆଚାର୍ଯ୍ୟ ହରିହରି ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟର ପ୍ରଶାସନିକ ଅଫିସର ଓ ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ଅନୁଗୋଳ ଡିଆରଡିଏ ପିଡି (ପ୍ରଶାସନ) ସୁଶାନ୍ତ କୁମାର ପତିଙ୍କୁ ପାଲଲହଡ଼ା ଉପଜିଲ୍ଲାପାଳ, ବାଇତୁରା ଦୀପଙ୍କୁ ଅନୁଗୋଳ ଉପଜିଲ୍ଲାପାଳ ଓ ସରୋଜ କୁମାର ବେହେରାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି । ସେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଫିସର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ବିଶ୍ୱବିଦ୍ୟାଳୟକୁ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..