ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏପ୍ରିଲ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ସାଢ଼େ ୧୦ଟା ସମୟରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରାୟ ୭୧,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବା କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନବନିଯୁକ୍ତମାନେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସୂତ୍ରରୁ ଜଣାପଡ଼ିଛି। ପିଏମ୍ଓର ବିବୃତି ଅନୁସାରେ, ଦେଶରେ ନିଯୁକ୍ତିକୁ ପ୍ରାଥମିକତା ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ସରକାରଙ୍କ ତରଫରୁ ଏହି ରୋଜଗାର ମେଳାର ଆୟୋଜନ କରାଯାଉଛି। ଏହି ମେଳା ମାଧ୍ୟମରେ ଯୁବକଯୁବତୀମାନେ ନିଯୁକ୍ତି ପାଇବେ, ସେମାନଙ୍କର ସଶକ୍ତୀକରଣ ହେବ ଏବଂ ଦେଶର ବିକାଶରେ ସେମାନେ ଯୋଗଦାନ ଦେଇପାରିବେ। ଯେଉଁମାନେ ନିଯୁକ୍ତି ପାଇବେ ସାରା ଦେଶରୁ ସେମାନଙ୍କୁ ବଛାଯାଇଛି। ସେମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ୍ ଟିକେଟ କ୍ଳର୍କ, ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର, କନେଷ୍ଟବଳ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟାଣ୍ଟ, ପୋଷ୍ଟାଲ ଆସିଷ୍ଟାଣ୍ଟ, ଇନ୍କମ୍ ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରାଫ୍ଟସ୍ମ୍ୟାନ, ଜୁନିୟର ଇଂଜିନିୟର/ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ, ନର୍ସ, ପ୍ରୋବେସନାରି ଅଫିସର, ପର୍ସନାଲ ଆସିଷ୍ଟାଣ୍ଟ, ଏମ୍ଟିଏସ୍ ପ୍ରଭୃତି ବିଭିନ୍ନ ପଦପଦବିରେ ନିଯୁକ୍ତି ପାଇବେ। ବିଭିନ୍ନ ସରକାରୀ ବିଭାଗରେ ସମସ୍ତ ନବନିଯୁକ୍ତଙ୍କୁ ଅନ୍ଲାଇନ୍ ଓରିଏଣ୍ଟେସନ କୋର୍ସ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ତାଲିମ ମଧ୍ୟ ଦିଆଯିବ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..