ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଚାଇନାକୁ ଚେତାବନୀ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। କହିଛନ୍ତି କି ଯେଉଁ ସବୁ ତତ୍ତ୍ୱ ଭାରତ ବିରୋଧରେ ସୀମା ପାର ଆତଙ୍କବାଦ କାର୍ଯ୍ୟ କରୁଥିଲେ, ସେମାନେ ଏବେ ଭଲ ଭାବେ ବୁଝି ଯାଇଛନ୍ତି ଯେ ଏହା ଏକ ନୂଆ ଭାରତ। ଏହି ନୂଆ ଭାରତ ସେମାନଙ୍କୁ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ବୋଲି | ଏଥିସହ ପାକିସ୍ତାନ ଓ ଚାଇନା ପକ୍ଷରୁ ଜାତୀୟ ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦକୁ ମୁକାବିଲା କରିବା ପାଇଁ ଭାରତ ସକ୍ଷମ।ଉଗାଣ୍ଡାରେ ଥିବା ଭାରତୀୟଙ୍କୁ ସମ୍ବୋଧନ କରି ଏସ ଜୟଶଙ୍କର କେମିତି ଭାରତ ନିଜର ଆଭିମୁଖ୍ୟ ବଦଳାଇ ନୂଆ ଭାରତର ରୂପ ନେଇଛି, ସେକଥା କହିଛନ୍ତି। ସୀମାରେ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ଗୁଡ଼ିକ ସମ୍ପର୍କରେ ଜୟଶଙ୍କର କହିଛନ୍ତି, “ଆଜି ଲୋକମାନେ ନୂଆ ଭାରତକୁ ଦେଖୁଛନ୍ତି। ନୂଆ ଭାରତ ଛିଡ଼ା ହେବାକୁ ସକ୍ଷମ। ଉରି ହେଉ କି ବାଲାକୋଟ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତ ସକ୍ଷମ। ଦୀର୍ଘ ଦଶନ୍ଧି ଧରି ଯେଉଁମାନେ ଭାରତ ବିରୋଧରେ ସୀମା ପାର ଆତଙ୍କବାଦ ଚଳାଇ ଆସିଥିଲେ ଓ ଭାରତ ଏହାକୁ ସହ୍ୟ କରୁଥିଲା ବୋଲି ଭାବୁଥିଲେ, ଏବେ ସେମାନେ ଗୋଟିଏ ଭିନ୍ନ ଭାରତକୁ ଦେଖିବା ଆରମ୍ଭ କରିଛନ୍ତି। ଏହି ଭାରତ ସେମାନଙ୍କୁ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ବୋଲି ସେମାନେ ଜାଣି ସାରିଛନ୍ତି।” ଏସ ଜୟଶଙ୍କର ସୀମାରେ ଚାଇନା ପକ୍ଷରୁ ମିଳୁଥିବା ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, “ଗତ ୩ ବର୍ଷ ଧରି ବୁଝାମଣାକୁ ଉଲ୍ଲଙ୍ଘନ କରି ଚାଇନା ପକ୍ଷରୁ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ମୁତୟନ କରାଯାଇଛି। ଏବେ ଭାରତୀୟ ସେନା ଅତ୍ୟନ୍ତ ଉଚ୍ଚରେ ରହିଛନ୍ତି ଓ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ପରିବେଶର ସମ୍ମୁଖୀନ ହେଉଛନ୍ତି। ପୂର୍ବାପେକ୍ଷା ବର୍ତ୍ତମାନର ସ୍ଥିତି ଭିନ୍ନ। ଭାରତୀୟ ସେନାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଛି। ସେମାନଙ୍କ ପାଖରେ ଉପଯୁକ୍ତ ସାମଗ୍ରୀ ଓ ଭିତ୍ତିଭୂମି ରହିଛି।” ସେ ସ୍ୱୀକାର କରିଛନ୍ତି ଯେ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଆହୁରି ଅନେକ କିଛି କାମ ବାକି ରହିଛି। ଜୟଶଙ୍କର ଆହୁରି କହିଛନ୍ତି, “ଏହି ଭିନ୍ନ ଭାରତ ନିଶ୍ଚିତ ପକ୍ଷେ ନିଜର ସ୍ୱାର୍ଥ ପାଇଁ ଛିଡ଼ା ହେବ ଓ ପୂରା ବିଶ୍ୱ ଏହାକୁ ଗ୍ରହଣ କରିବ। ଆଜିର ନୀତି କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ନୁହେଁ। ଏହା ଅଧିକ ସ୍ୱାଧୀନ ଭାରତ। ଏବେକା ଭାରତ ଅନ୍ୟ କୌଣସି ରାଷ୍ଟ୍ରର ଚାପର ବଶବର୍ତ୍ତୀ ହୋଇ କାହାଠାରୁ ତୈଳ କିଣିବ ଓ କାହା ଠାରୁ କିଣିବ ନାହିଁ, ତା’ର ନିଷ୍ପତ୍ତି ନେବ ନାହିଁ। ଦେଶର ନାଗରିକ ଓ ଦେଶର ସୁରକ୍ଷା ପାଇଁ ଯାହା ବି ଦରକାର ଭାରତ ତା’ର ନିଷ୍ପତ୍ତି ନେବ।” ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ ଠାରୁ ଭାରତ ସରକାର ଶସ୍ତାରେ ତେଲ କିଣିଥିଲେ। ଏହାକୁ ପଶ୍ଚିମ ଦେଶଗୁଡ଼ିକ ପରୋକ୍ଷରେ ବିରୋଧ କରିଥିଲେ ମଧ୍ୟ ଭାରତ ଏହାକୁ ଖାତିର କରି ନଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଜୟଶଙ୍କର ଏପରି ମତ ରଖିଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..