ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୯୭୫ରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ବାରା ଦେଶରେ ଜାରି କରାଯାଇଥିବା ଜରୁରୀ ପରିସ୍ଥିତିକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ବର୍ତ୍ତମାନ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଲୋକସଭା ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଜରୁରୀ ପରିସ୍ଥିତିକୁ ଏକ ପ୍ରସଙ୍ଗ ଭାବେ ଉତ୍ଥାପନ କରାଯାଇଥିଲା। ତେବେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତିକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ‘ଏକ୍ସ’ ଆକାଉଣ୍ଟରେ ଅପ୍ଲୋଡ କରିଛନ୍ତି। ଶାହା ଲେଖିଛନ୍ତି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ଶାସନ ଆଭିମୁଖ୍ୟ ନେଇ ୧୯୭୫ ଜୁନ ୨୫ରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଗଣତନ୍ତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲେ। କୌଣସି ଦୋଷତ୍ରୁଟି ନଥାଇ ସରକାର ସେତେବେଳେ ବିରୋଧୀ ନେତାଙ୍କ ସମେତ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଜେଲ୍ରେ ପୂରାଇଥିଲେ। ଏଥିସହିତ ଗଣମାଧ୍ୟମର ସ୍ବାଧୀନତାକୁ ମଧ୍ୟ କ୍ଷୁଣ୍ଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ଶାହା କହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ବାରମ୍ବାର ଅଭିଯୋଗ କରୁଥିଲା ଯେ ଏଥର (୨୦୨୪) ସଂଖ୍ୟାଗରିଷ୍ଠତା ହାସଲ କଲେ ବିଜେପି ସରକାର ସମ୍ବିଧାନକୁ ମୂଳପୋଛ କରିଦେବେ। ତେଣୁ ସମ୍ବିଧାନକୁ ସୁରକ୍ଷିତ ରଖିବାକୁ ବିରୋଧୀ ନେତାମାନେ ପ୍ରଚାର ସମୟରେ ହାତରେ ସମ୍ବିଧାନ ପୁସ୍ତିକା ନେଇ ବୁଲୁଥିଲେ ବୋଲି ଶାହା କହିଛନ୍ତି। ଅପରପକ୍ଷରେ ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତିରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଯଦି ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ, ତାହାହେଲେ ପ୍ରତିବର୍ଷ ଜୁନ ୪କୁ ‘ମୋଦୀ ମୁକ୍ତି ଦିବସ’ ଭାବେ ମଧ୍ୟ ପାଳନ କରାଯାଉ। ଗତ ଜୁନ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଥିଲା। ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିନଥିବାବେଳେ ଟିଡିପି ଓ ଜେଡିୟୁ ସମର୍ଥନରେ ସରକାର ଗଠନ କରିଛି। ତେଣୁ ମୋଦୀଙ୍କର ନୈତିକ ପରାଜୟ ଘଟିଥିବାରୁ ଜୁନ ୪କୁ ‘ମୋଦୀ ମୁକ୍ତି ଦିବସ’ ଭାବେ ପାଳନ କରାଯିବା ଉଚିତ ବୋଲି ରମେଶ କହିଛନ୍ତି।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
ଆକ୍ରମଣର ତଦନ୍ତ ପାଇଁ ଆମେ ରାଜି:ପାକିସ୍ତାନ…..
ଇରାନରେ ବଡ଼ ଧରଣର ବିସ୍ଫୋରଣ,୪୦୦ରୁ ଊର୍ଦ୍ଧ୍ବ ଆହତ…..