Report Card Odisha

| Daily Odia News

ସରକାର ଗଠନ କରିବାକୁ ଅଣ୍ଟାଭିଡିଲା ଆଫଗାନିସ୍ତାନ,ନିଜକୁ ରାଷ୍ଟ୍ରପତି ଘୋଷଣା କଲେ ଉପ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ କାବୁଲକୁ ଦଖଲ କରିବା ପରେ ପୁଣି ସରକାର ଗଠନ କରିବାକୁ ଅଣ୍ଟାଭିଡିଛି ଆଫଗାନିସ୍ତାନ | ଏନେଇ ସୂଚନା ଦେଇଛନ୍ତି ଦେଶର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହ। ତାଲିବାନ ଭୟରେ ଦେଶର ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ଦେଇଥିବା ବେଳେ ଏବେ ଉପ ରାଷ୍ଟ୍ରପତି ଅମରୁହ୍ଲା ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଏଥିସହ ସେ ତାଲିବାନ ଆତଙ୍କବାଦୀଙ୍କ ଆଗରେ କେବେ ହେଲେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି। ସେ ଏବେ ବି ଆଫଗାନିସ୍ତାନରେ ରହିଥିବା ସୂଚନା ଦେଇଛନ୍ତି। ସେ ଟ୍ୱିଟ ଯୋଗେ କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ଦେହାନ୍ତ ପରେ ଉପ ରାଷ୍ଟ୍ରପତି ହିଁ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିଅନ୍ତି। ଏବେ ବି ମୁଁ ମୋ ଦେଶରେ ରହିଛି। ତେଣୁ ନିୟମ ଅନୁସାରେ ମୁଁ ହିଁ ଆଫଗାନର ରାଷ୍ଟ୍ରପତି। ମୁଁ ସବୁ ନେତାଙ୍କ ପାଖରେ ପହଞ୍ଚିବି ଓ ସେମାନଙ୍କ ସମର୍ଥନ ଯୋଗାଡ଼ କରିବି ବୋଲି ସେ କହିଛନ୍ତି। ତାଲିବାନର କବଜା ପରେ ଆଫଗାନ ସରକାର ଭୁଶୁଡ଼ି ପଡ଼ିଛି। ହେଲେ ଅମରୁହ୍ଲା ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି। ତାଲିବାନ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ଦଖଲ କରିସାରିଥିବା ବେଳେ ଏବେ ଉତ୍ତରପୂର୍ବ କାବୁଲର ପଞ୍ଜଶିର ଉପତ୍ୟକା କବଜା କରିପାରି ନାହିଁ। ସେହିଠାରେ ଅମରୁହ୍ଲା ରହିଥିବା କୁହାଯାଉଛି। ସେହିଠାରୁ ସେ ତାଲିବାନ ସହ ଲଢ଼େଇ କରିବେ ବୋଲି କହିଛନ୍ତି। ସେ ଟ୍ୱିଟ କରି କହିଥିଲେ ଯେ “ମୁଁ କେବେ ହେଲେ କିମ୍ବା କୌଣସି ପରିସ୍ଥିତିରେ ତାଲିବାନୀ ଆତଙ୍କବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ। ମୁଁ କେବେ ହେଲେ ମୋ ହିରୋ ଅହମଦ ଶାହ ମାସୁଦଙ୍କ ଆତ୍ମା ଓ ଲେଗାସି ସହ ଧୋକ୍କା କରିପାରିବି ନାହିଁ। ମୁଁ କେବେ ହେଲେ ମୋତେ ଶୁଣୁଥିବା ଲକ୍ଷାଧିକ ଲୋକଙ୍କ ଆଶାକୁ ନିରାଶାରେ ପରିଣତ କରିପାରିବି ନାହିଁ। ମୁଁ କେବେ ହେଲେ ତାଲିବାନ ସହ ବୁଝାମଣା କରିବି ନାହିଁ। କେବେ ବି ନୁହେଁ।” ପଞ୍ଜଶିରରେ ବର୍ତ୍ତମାନ ଅମରୁହ୍ଲା ଓ ମାସୁଦଙ୍କ ପୁଅ ରହିଛନ୍ତି। ମାସୁଦ ହେଉଛନ୍ତି ତାଲିବାନ ବିରୋଧରେ ପ୍ରଥମେ ଯୁଦ୍ଧ ଘୋଷଣା କରିଥିବା ବ୍ୟକ୍ତି। ଏହି ଯୁଦ୍ଧ ବେଳେ ତାଙ୍କର ମୃତ୍ୟୁ ମଧ୍ୟ ଗଠିଥିଲା। ୧୯୯୦ରେ ଅମରୁହ୍ଲା ଓ ମାସୁଦଙ୍କ ପୁଅ ମିଳିତ ଭାବେ ତାଲିବାନ ବିରୋଧରେ ଗୋଟିଏ ମିଲିସିଆ ଗ୍ରୁପ ଗଠନ କରିଥିଲେ। ଏହି ଗ୍ରୁପ୍‌ ହିଁ ପ୍ରଥମ ଧାଡ଼ି ଗରିଲା କମାଣ୍ଡୋ ଭାବେ କାର୍ଯ୍ୟ କରି ପଞ୍ଜଶିରରେ ତାଲିବାନ ଉପରେ ବିଜୟ ହାସଲ କରିଥିଲା। ଏବେ ସି ଦମ୍ଭରେ ଅମରୁହ୍ଲା ସମାନ କଥା କହିଛନ୍ତି। ପଞ୍ଜଶିରର ଜଣେ ବ୍ୟକ୍ତି କହିଛନ୍ତି, ଆମେ ତାଲିବାନକୁ କେବେ ହେଲେ ଏଠାରେ ପ୍ରବେଶ କରାଇ ଦେବୁନାହିଁ। ଆମେ ସେମାନଙ୍କ ସହ ଲଢ଼େଇ କରିବୁ। ଅମରୁହ୍ଲାଙ୍କ ଏଭଳି ଆହ୍ୱାନ ନୂଆ ଯୁଦ୍ଧର ଶୁଭାରମ୍ଭ କରିପାରେ ବୋଲି କୁହାଯାଉଛି। ଉଲେଖ ଯୋଗ୍ୟ -ସେପଟେ ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । କରିଛନ୍ତି , ଆଗୁଆ ଆଫଗାନିସ୍ତାନ ସରକାରର ପତନ ହୋଇଛି । ଆଫଗାନିସ୍ତାନରେ ଦୀର୍ଘଦିନ ଆମେରିକା ଲଢିଥିଲେ ଋଷ ଓ ଚୀନକୁ ଫାଇଦା ହୋଇଥାନ୍ତା । ଆମେ ପୂର୍ବର ଭୁଲକୁ ଦୋହରାଇବାକୁ ଚାହୁଁନଥିଲୁ । ସେଥିପାଇଁ ଆଫଗାନିସ୍ତାନରୁ ହଟିବା ବିକଳ୍ପ କଥା ଚିନ୍ତା କଲୁ । ଆଉ ଏହି ନିଷ୍ପତ୍ତିରେ ତାଙ୍କୁ କୌଣସି ପଶ୍ଚ୍ୟାତାପ ହୋଇନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ସେ ଆହୁରି କହିଛନ୍ତି, ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ପାଇଁ ଆମେରିକା ଅନେକ ତ୍ୟାଗ କରିଛି । ଭବିଷ୍ୟତରେ ଆଫଗାନିସ୍ତାନ ଲୋକଙ୍କୁ ଆମେରିକା ସହୟତା ଯୋଗାଇ ଦେବ ବୋଲି ସେ ଘୋଷଣା କରିଛନ୍ତି । ଆଫଗାନିସ୍ତାନର ସ୍ଥିତି ପାଇଁ ସେ ପଳାଳତ ରାଷ୍ଟ୍ରପତି ଅସରଫ ଘନିକୁ ଦାୟୀ କରିଥିଲେ । ବାଇଡେନ କହିଥିଲେ, ବିନା ଲଢେଇରେ ସେ ଆଫଗାନିସ୍ତାନରୁ ପଳେଇଲେ ।

Breaking News