ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨୦ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରିଛି ତାଲିବାନ | ଆଫଗାନିସ୍ତାନ ଦଖଲ ପରେ ବଡ ନିଷ୍ପତ୍ତି ନେଇଛି । ଆଫଗାନ ଜେଲରେ ବନ୍ଦିଥିବା ପ୍ରାୟ ୨୩୦୦ କୁଖ୍ୟାତ ଆତଙ୍କବାଦୀଙ୍କୁ ଛାଡିଦେଇଥିବା ନେଇ ସୂଚନା ମିଳିଛି। ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି ସଂଗଠନ ଡେପୁଟି ଚିଫ୍ ଫକୀର ମହମ୍ମଦ ମଧ୍ୟ ରହିଛି । ଜେଲରୁ ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ତେହରିକ-ଏ-ତାଲିବାନ, ଅଲ କାଏଦା ଏବଂ ଆଇଏସ୍ଆଇଏସ୍ର କୁଖ୍ୟାତ ଆତଙ୍କବାଦୀମାନେ ରହିଛନ୍ତି ।ଏମାନେ ସମସ୍ତେ ଆଫଗାନିସ୍ତାନର ବିଭିନ୍ନ ଜେଲରେ ବନ୍ଦି ହୋଇରହିଥିଲେ । ମିଳିଥିବା ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ଗତ ସପ୍ତାହରେ ହିଁ ମୁକ୍ତ ହୋଇଯାଇଥିଲେ । ଏମାନେ ସମସ୍ତେ କାନ୍ଦାହାର, ବଗରାମ୍ ଏବଂ କାବୁଲ ଜେଲରେ ବନ୍ଦିଥିଲେ । ଏମାନଙ୍କ ମଧ୍ୟରେ କୁଖ୍ୟାତ ତଥା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହେଉଛି ଟିଟିପି ଡେପୁଟି ଚିଫ୍ ଫକୀର ମହମ୍ମଦ । ସେ ଜେଲରୁ ମୁକ୍ତ ହେବା ମାନେ ପାକିସ୍ତାନ,ଆଫଗାନିସ୍ତାନ ଏବଂ ଭାରତ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବା ବୋଲି ଚର୍ଚ୍ଚା ହେଉଛି | ଏହାରି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ହେଉଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଲସ୍କର-ଏ-ଝାଙ୍ଗଓ୍ବୀ ମଧ୍ୟ ଆଫଗାନିସ୍ତାନରେ ନିଜର ଦବଦବା ଜାରିରଖିଛି । ଏମାନେ ସମସ୍ତେ ତାଲିବାନ ସହ ମିଶି କାମ କରୁଛନ୍ତି ବୋଲି ଜଣାପଡିଛି ।
Discussion about this post