ରିପୋର୍ଟ କାର୍ଡ / ଭୁବନେଶ୍ୱର
ସର୍ବସାଧାରଣଙ୍କ ଦର୍ଶନ ପାଇଁ ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର । ଦୀର୍ଘ ୪ ମାସପରେ ସମସ୍ତ ଭକ୍ତଙ୍କୁ ଦର୍ଶନ ଡ଼ଦେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ | ରାଜ୍ୟ ଏବଂ ରାଜ୍ୟ ବାହାରର ସମସ୍ତ ଭକ୍ତ କରୋନା ନିୟମ ମାନି ଦର୍ଶନ କରୁଛନ୍ତି | ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି । ସେପଟେ ଆଜି ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ । କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମସି ଅନୁମତି ଦେଇଛି । ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ । ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ । ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁ ମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ । ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବା ମନା ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନରେ କୁହାଯାଇଛି । ବିଏମସି ଅଞ୍ଚଳରେ ଆଜି ସମସ୍ତ ଧର୍ମାନୁଷ୍ଠାନ ଖୋଲୁଥିଲେ ବି ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ରୁ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି ।
Discussion about this post