Report Card Odisha

| Daily Odia News

କେନ୍ଦ୍ରକୁ ଟିକାକରଣର ବିସ୍ତୃତ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭ୍ୟାକ୍ସିନ କିଣା ଠାରୁ ଆରମ୍ଭ କରି କେତେ ଜଣଙ୍କୁ ଟିକାକରଣ ହୋଇ ମେନେଇ ବିସ୍ତୃତ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ | ଗୁରୁବାର ଯାଏଁ କେତେ ଭ୍ୟାକ୍ସିନ କିଣା ଯାଇଛି ତାର ସବିଶେଷ ରିପୋର୍ଟ ଦେବାକୁ କେନ୍ଦ୍ରକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ଏତିକି ନୁହେଁ ଏ ପର୍ଯ୍ୟନ୍ତ କେତେ ଜଣଙ୍କ ଟିକାକରଣ ହୋଇ ସାରିଛି ତାର ତଥ୍ୟ ମଧ୍ୟ ଦେବାକୁ କୋର୍ଟ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ, ଡିସେମ୍ବର ଶେଷ ସୁଦ୍ଧା କେମିତି ସମସ୍ତଙ୍କ ଟିକାକରଣ ହୋଇ ପାରିବ ତାର ରୋଡମ୍ୟାପ୍ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । କେନ୍ଦ୍ର ସରକାର କହିଥିଲେ, ଚଳିତ ବର୍ଷ ଶେଷ ସୁଦ୍ଧା ଲୋକଙ୍କ ଟିକାକରଣ କରାଯିବ ବୋଲି କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏ ପର୍ଯ୍ୟନ୍ତ କରୋନାର କେତେ ଭ୍ୟାକ୍ସିନ କିଣା ଯାଇଛି । କେତେ ଲୋକଙ୍କ ଟିକାକରଣ ହୋଇ ସାରିଛି ଏବଂ ବାକି ଲୋକଙ୍କ କେବେ ଟିକାକରଣ କରାଯିବ ? ଅଦାଲତ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ବ୍ଲାକ ଫଙ୍ଗସ୍‌ ଚିକିତ୍ସା ପାଇଁ ଔଷଧର ଉପଲବ୍ଧତା ସୁନିଶ୍ଚିତ ପାଇଁ କଣ ପଦକ୍ଷେପ ନିଆଯାଇଛି, ଏସବୁର ତଥ୍ୟ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ବିଚାରପତି ଏଲ ଏନ ରାଓ ଓ ବିଚାରପତି ଏସ. ରବୀନ୍ଦ୍ର ଭଟ୍ଟଙ୍କ ସ୍ଵତନ୍ତ୍ର ଖଣ୍ଡପୀଠ ନିଜ ଆଦେଶରେ କହିଛନ୍ତି, ସ୍ପଷ୍ଟ ଭାବେ ଜଣାନ୍ତୁ ଯେ, ତିନୋଟି ଭ୍ୟାକ୍ସିନ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି କିଣିବା ପାଇଁ କେବେ କେବେ ଅର୍ଡର ଦିଆଯାଇଛି। ପ୍ରତି ତାରିଖରେ କେତେ ଡୋଜ୍‌ର ଅର୍ଡର ଦିଆଯାଇଛି ଏବଂ ଏହାର ଯୋଗାଣ କେବେ କରାଯାଇଛି ତାର ବିସ୍ତୃତ ତଥ୍ୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ଆଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେବେ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଉଛି ସେହି ସମୟରେ ଆମେ ମୁକଦର୍ଶକ ହୋଇ ବସି ପାରିବୁ ନାହିଁ। ଏହା ବ୍ୟତୀତ ସୁପ୍ରିମକୋର୍ଟ ସରକାରଙ୍କୁ ଏ ପର୍ଯ୍ୟନ୍ତ କେତେ ପ୍ରତିଶତ ଲୋକଙ୍କୁ ଗୋଟିଏ କିମ୍ବା ଦୁଇ ଡୋଜ୍ ଟିକା ଦିଆଯାଇଛି, ଗ୍ରାମାଞ୍ଚଳରେ କେତେ ପ୍ରତିଶତ ଲୋକ ଏବଂ ସହରାଞ୍ଚଳରେ କେତେ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି ତାର ତଥ୍ୟ ଦେବାକୁ ମଧ୍ୟ କହିଛନ୍ତି।

Breaking News