Report Card Odisha

| Daily Odia News

ହସିନାଙ୍କ ଖାସ୍‌ ମନ୍ତ୍ରୀ ଗିରଫ, ଭାରତ ଆସିବାକୁ କରୁଥିଲେ ଚେଷ୍ଟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ କ୍ରମଶଃ ବିସ୍ଫୋରକ ରୂପ ନେଇ ସେଠାକାର ସରକାରକୁ ଗାଦିଚ୍ୟୁତ କରିଛି। ବାଂଲାଦେଶ ଏବେ ସେନା ହାତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି ଶେଖ୍ ହସିନା । ତେବେ ବାଂଲାଦେଶରେ ଏବେ ବିକ୍ଷୋଭକାରୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଉଥିବା ବେଳେ ହସିନାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଜୀବନ ବିପଦରେ ପଡ଼ିଯାଇଛି। କିଏ ଜୀବନ ବିକଳରେ ଦେଶ ଛାଡ଼ି ପଳାଇ ଯାଇଛି ତ କାହାକୁ ଅଟକ ରଖିଛି ସେଠାକାର ସେନା। ବାଂଲାଦେଶର ପୂର୍ବ ବିଦେଶ ମନ୍ତ୍ରୀ ହସନ ମହମୁଦ ଭାରତ ଆସିବା ନିମନ୍ତେ ଗତକାଲି ଢାକା ଏୟାରପୋର୍ଟରେ ଅପେକ୍ଷାରତ ଥିବା ବେଳେ ତାଙ୍କୁ ମାଡ଼ି ବସିଛି ସେଠାକାର ସେନା । ସେଠାରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିବା ଜଣାଯାଇଛି। ଫ୍ଲାଇଟରେ ଆସିବା ପୂର୍ବରୁ ହସନ ମହମୁଦ ସଡ଼କ ପଥରେ ଭାରତ ଆସିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ହସିନାଙ୍କ ସରକାରରେ ଦୂରସଞ୍ଚାର ମନ୍ତ୍ରୀ ରହିଥିବା ଜୁନୈଦ ଅହମଦଙ୍କୁ ବି ଅଟକ ରଖାଯାଇଛି। ତାଙ୍କୁ ଦେଶରୁ ବାହାରକୁ ଯିବାକୁ ଅନୁମତି ମିଳୁ ନ ଥିବା ବେଳେ ଏୟାଫୋର୍ସକୁ ହସ୍ତାନ୍ତର କରାଯାଇଛି। ବାଂଲାଦେଶରେ ଶାସନ ପରିବର୍ତ୍ତନ ହେବା ପୂର୍ବରୁ ହସିନାଙ୍କ ଆୱାମୀ ଲିଗ୍‌ର ବହୁ ଆଗ ଧାଡ଼ିର ନେତା ଓ ପୂର୍ବ କ୍ୟାବିନେଟ ମନ୍ତ୍ରୀ ଦେଶ ଛାଡ଼ି ସାରିଛନ୍ତି। ଦେଶରେ ରହି ଯାଇଥିବା କିଛି ପୂର୍ବତନ ବରିଷ୍ଠ ମନ୍ତ୍ରୀ ଏବେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ମାଡ଼ି ବସୁଛି ସେନା। ଆୱାମୀ ଲିଗ୍‌ର ମହାସଚିବ ତଥା ପୂର୍ବ ସଡ଼କ ପରିବହନ ମନ୍ତ୍ରୀ ଅବଦୁଲ କ୍ୱାଦର ରବିବାର ରାତି ଦେଶ ଛାଡ଼ି ଫେରାର ହେବାରେ ସକ୍ଷମ ହୋଇ ସାରିଛନ୍ତି। ସେ କେଉଁ ଅଜ୍ଞାନ ସ୍ଥାନକୁ ଚାଲି ଯାଇଥିବା ଜଣାଯାଇଛି। ଶେଖ ହସିନାଙ୍କ ନିବେଶ ପରାମର୍ଶଦାତା ତଥା ସାଂସଦ ସଲମାନ ଏଫ ରହମାନ ରବିବାର ରାତିରେ ଦେଶ ଛାଡ଼ଇ ଫେରାର ହୋଇ ଯାଇଛନ୍ତି। ହସିନାଙ୍କ ପୁତୁରା ତଥା ସାଉଥ ଢାକା ସିଟିର ମେୟର ଶେଖ ଫଜଲ ନୁର ଶନିବାର ସକକାଳେ ସିଙ୍ଗାପୁର ପଳାଇଥିବା ଜଣାଯାଇଛି। ହସିନାଙ୍କ ସରକାରରେ ବିବାଦୀୟ ସାଂସଦ ଥିବା ଶମୀମ ଓସମାନ ବି ଗତ ସପ୍ତାହରେ ଦେଶ ଛାଡ଼ି ସାରିଛନ୍ତି। ପୂର୍ବ ଶିକ୍ଷା ମନ୍ତ୍ରୀ ମୋହିବୁଲ ହସନ ଚୌଧୁରୀ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ମୋହମ୍ମଦ ତଜୁଲ ଇସଲାମ ବି ଦେଶ ଛାଡ଼ି ସାରିଛନ୍ତି। ପୂର୍ବ ଅର୍ଥ ମନ୍ତ୍ରୀ ଅବଦୁଲ ହସନ ମହମୁଦ ଅଲ୍ଲି ଓ କ୍ରୀଡ଼ା ମନ୍ତ୍ରୀ ନଜମୁଲ ହସନ ପାପୋନ ବି ଦେଶ ଛାଡ଼ି ଫେରାର ହୋଇ ସାରିଛନ୍ତି । ବାଂଲାଦେଶର ସୁପ୍ରିମକୋର୍ଟର ବିଚାରପତି ମୋହମ୍ମଦ ବଦରୁଜ୍ଜମାନ ବି ଦେଶ ଛାଡ଼ି ସାରିଛନ୍ତି। ବ୍ୟାପକ ହିଂସା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ଭାରତ ପଳାଇ ଆସିଛନ୍ତି। ଏହାପରେ ଦେଶର ଶାସନ କ୍ଷମତାକୁ ସେନା ନିଜ କବଜାକୁ ନେଇଛି। ଏହାମଧ୍ୟରେ ଗତକାଲି ବାଂଲାଦେଶରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଉକ୍ତ ବୈଠକରେ ନୋବେଲ୍ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନୀତ କରାଯାଇଛି।

Breaking News