ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ମାଡ଼ ହୋଇଛି। ପେନସିଲଭାନିଆରେ ଟ୍ରମ୍ପଙ୍କ ରାଲି ସମୟରେ ଗୁଳି ମାଡ଼ ହୋଇଛି। ଟ୍ରମ୍ପଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳୁଛି। ତେବେ ଏହି ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ପେନସିଲଭାନିଆର ବଟଲର ଠାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ବିନିମୟ ମାମଲାରେ ସିବିଏସ୍ଇ ନ୍ୟୁଜ୍ ରିପୋର୍ଟ କରିଛି ଯେ ଆମେରିକାର ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ଗୁଳି ମାଡ଼ ପରେ ତୁରନ୍ତ ମଞ୍ଚରୁ ଟ୍ରମ୍ପଙ୍କୁ ଓହ୍ଲାଇ ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଟ୍ରମ୍ପଙ୍କ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ଏ ବାବଦରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶିତ ମନ୍ତବ୍ୟ ଅନୁଯାୟୀ ଟ୍ରମ୍ପ ସୁରକ୍ଷିତ ଅଛନ୍ତି। ଏହି ଘଟଣାକୁ ଚାରିଆଡ଼େ ନିନ୍ଦା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଖୋଲାଖୋଲି ଭାବେ କହିଛନ୍ତି ଆମେରିକୀୟ ସମାଜରେ ହିଂସାର ସ୍ଥାନ ନାହିଁ। ଶନିବାର ଦିନ ପେନସିଲଭାନିଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ରାଲିରେ ଗୁଳି ମାଡ଼ ପରେ ସୁରକ୍ଷା ବୃଦ୍ଧି କରାଯାଇଛି। ଚାରିଆଡେ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଗୁପ୍ତ ସେବା ବିଭାଗର ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଗୁଗଲିମି ଟୁଇଟରରେ ପ୍ରକାଶିତ ମନ୍ତବ୍ୟରେ କହିଛନ୍ତି ଜୁଲାଇ ୧୩ ସନ୍ଧ୍ୟାରେ ପେନସିଲଭାନିଆରେ ଟ୍ରମ୍ପଙ୍କ ରାଲିରେ ଏହି ଘଟଣା ଘଟିଛି।ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ତା’ର ୪ ମାସ ପୂର୍ବରୁ ଟ୍ରମ୍ପଙ୍କ ଉପରେ ହୋଇଛି ଆକ୍ରମଣ।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….