ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ସମର୍ଥିତ ଗୋଟିଏ ଶିଖ ସଂଗଠନ ଦିଲ୍ଲୀ ସ୍ଥିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତରେ ରହୁଥିବା ଶିଖମାନଙ୍କ ଅବସ୍ଥା ସମ୍ପର୍କରେ ଆମେରିକାରେ ରାହୁଲ ଦେଇଥିବା ବୟାନକୁ ବିରୋଧ କରି ଉକ୍ତ ସଂଗଠନର ସଦସ୍ୟମାନେ ନାରାବାଜୀ କରିଛନ୍ତି। ବିକ୍ଷୋଭକାରୀମାନେ ଜନପଥରେ ଥିବା ବ୍ୟାରିକେଡ ଭାଙ୍ଗି ରାହୁଲଙ୍କ ବାସଭବନ ଆଡ଼କୁ ଯିବାକୁ ଚାହୁଁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ପୋଲିସ ସହ ସେମାନଙ୍କର ବେଶ ଧସ୍ତାଧସ୍ତି ହୋଇଛି। ଭାରତରେ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ରାହୁଲ ଗାନ୍ଧି ଆମେରିକାରେ ମତ ରଖିଥିଲେ। ସେ କହିଥିଲେ ଯେ ଭାରତରେ ଶିଖମାନେ ପଗଡ଼ି ପିନ୍ଧି ପାରିବେ କି ନାହିଁ କିମ୍ବା କଡ଼ା ପିନ୍ଧି ପାରିବେ କି ନାହିଁ, ତା’କୁ ନେଇ ଲଢ଼େଇ ଚାଲିଛି। ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇ ପାରିବେ କି ନାହିଁ, ବର୍ତ୍ତମାନ ସେହି ଲଢ଼େଇ ଚାଲିଛି। ଏହି ଲଢ଼େଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି ବୋଲି ରାହୁଲ ମତ ରଖିଥିଲେ। ଏପରି ବୟାନକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ବିଦେଶରେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମତ ରଖିବା ଅତ୍ୟନ୍ତ ବିପଦଜନକ ପ୍ରଚାର ବୋଲି ବିଜେପି କହିଥିଲା। ଏସବୁ ଭିତରେ ଆଜି ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବିଜେପି ସମର୍ଥିତ ଶିଖ ସଂଗଠନ ବିକ୍ଷୋଭ କରିଛି। ରାହୁଲ ଗାନ୍ଧି ବିଦେଶରେ କାହିଁକି ଶିଖମାନଙ୍କୁ ଅପମାନିତ କଲେ | ରାହୁଲ ଗାନ୍ଧି ମୁର୍ଦ୍ଦୁବାଦ ନାରା ଦେଇ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।





More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..