Report Card Odisha

| Daily Odia News

ବିଜେପିକୁ ନିର୍ବାଚନରେ ଦଣ୍ଡ ଦେବେ ଚାଷୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିର ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ବିଜେପି ବିରୋଧରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ୩ କୃଷି ଆଇନ ବିରୋଧରେ ଦୀର୍ଘ ବର୍ଷେକାଳ ଆନ୍ଦୋଳନ କରି ସଫଳତା ପାଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଚାଷୀମାନଙ୍କୁ ନୂଆ ଆହ୍ୱାନ ଦେଇଛି। ଆସନ୍ତା ଉତ୍ତର ପ୍ରଦେଶ ନିର୍ବାଚନ ବେଳେ ବିଜେପିକୁ ଚାଷୀମାନେ ଦଣ୍ଡ ଦିଅନ୍ତୁ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ନିବେଦନ କରିଛି। ଏ ସମ୍ପର୍କରେ ମୋର୍ଚ୍ଚାର ସଦସ୍ୟ ତଥା ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରି ନଥିବାରୁ ମୋର୍ଚ୍ଚା ପକ୍ଷରୁ ବିଜେପିକୁ ନିର୍ବାଚନରେ ଦଣ୍ଡ ଦେବାକୁ ଆହ୍ୱାନ କରାଯାଇଥିବା ସେ କହିଛନ୍ତି। ଶ୍ରୀ ଯାଦବ କହିଛନ୍ତି, “ଚାଷୀଙ୍କ ସହ ଧୋକ୍କା କରିଥିବାରୁ ସଂଯୁକ୍ତ ମୋର୍ଚ୍ଚା ବିଜେପିକୁ ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନରେ ଦଣ୍ଡ ଦେବାକୁ ଆହ୍ୱାନ କରିଛି। ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରି ନାହାନ୍ତି। ଏମଏସ୍‌ପି ପାଇଁ ଏଯାଏ କୌଣସି କମିଟି ଗଠନ ହୋଇନାହିଁ। ସେହିପରି ଆନ୍ଦୋଳନରତ ଚାଷୀଙ୍କ ନାଁରେ ରୁଜୁ ହୋଇଥିବା ମାମଲା ମଧ୍ୟ ପ୍ରତ୍ୟାହାର ହୋଇନି। ସରକାର ଚାଷୀଙ୍କୁ ଧୋକ୍କା ଦେଇଛନ୍ତି। ୟୁପିର ଚାଷୀମାନେ ନିର୍ବାଚନ ବେଳେ ଏଥିପାଇଁ ବିଜେପିକୁ ଦଣ୍ଡ ଦିଅନ୍ତୁ।” ତେବେ ମୋର୍ଚ୍ଚା ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ଭୋଟ ଦେବା ପାଇଁ ଚାଷୀଙ୍କୁ କେବେ ହେଲେ କୁହାଯାଇ ନାହିଁ ବୋଲି ଶ୍ରୀ ଯାଦବ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ଚାଷୀ ନେତା ରାକେଶ ଟିକାୟତ ମଧ୍ୟ ବଜେଟକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଚାଷୀମାନେ ବଜେଟରୁ ଅନେକ କିଛି ଆଶା କରିଥିଲେ। ବଜେଟ ଦ୍ୱାରା ଚାଷୀଙ୍କୁ ଫାଇଦା ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ସରକାର କିଛି ବି କରିନାହାନ୍ତି। ଆମେ ଏହା ବିରୋଧରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ପାମ୍ପ୍ଲେଟ ବାଣ୍ଟବୁ। ଭୋଟରମାନଙ୍କୁ ନିର୍ବାଚନ ପ୍ରଚାରରେ ଆସୁଥିବା ସରକାରୀ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ପଚାରିବାକୁ କହିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ ଦିନରେ ଆଖୁ ଚାଷୀଙ୍କୁ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୋଦି ମିଛି କହିଛନ୍ତି। ୧୪ ଦିନ ବଦଳରେ ଆଖୁ ଚାଷ ବାବଦରେ ୧୧ ମାସରେ ଟଙ୍କା ମିଳୁଛି। ଉତ୍ତର ପ୍ରଦେଶରେ ଆଖୁ ଚାଷୀମାନେ ଅନେକ ସମସ୍ୟା ଭୋଗୁଛନ୍ତି। ସେମାନଙ୍କୁ ଟଙ୍କା ମିଳୁନି। ହରିଆଣା ଓ ଉତ୍ତରାଖଣ୍ଡର ଚାଷୀମାନେ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। କାହାକୁ ବି ଏମଏସପି ଅନୁଯାୟୀ ଦର ମିଳୁନାହିଁ।”

 

Breaking News