Report Card Odisha

| Daily Odia News

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ,ହେଲା ଏୟାରଲିଫ୍ଟ…..

ରିପୋର୍ଟ କାର୍ଡ / ରାୟଗଡ଼ା

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି। ବିଏସ୍‌ଏଫ୍‌ ଷ୍ଟାଫ୍‌ଙ୍କ ସମେତ ସ୍ଥାନୀୟ ରେଲଓ୍ବେ ଆର୍‌ପିଏଫ୍‌ ଏବଂ ଜିଆର୍‌ପି ପୋଲିସଙ୍କ ସହାୟତାରେ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜେକେପୁର ଅସ୍ଥାୟୀ ହେଲିପ୍ୟାଡ୍‌ରୁ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ଆହତ ଯବାନ ଜଣକ ହେଲେ ଅଶୋକ କୁମାର ମୀନା । ସେ କନ୍ଧମାଳ ଜିଲା ବାଲିଗୁଡାସ୍ଥିତ ୧୩୬ ବାଟାଲିୟନ ବିଏସ୍‌ଏଫ୍‌ର କନଷ୍ଟେବଲ ବୋଲି ଜଣାପଡିଛି । ଅଶୋକ ଗୁରୁବାର ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ ଯୋଗେ ବାଟାଲିୟନର ଅନ୍ୟ ୬ଜଣଙ୍କ ସହ ମିଶି କୋରାପୁଟରରୁ ମୁନିଗୁଡାକୁ ଆସୁଥିଲେ। ଟ୍ରେନଟି ମୁନିଗୁଡା ରେଳ ଷ୍ଟେଶନରେ ପହଞ୍ଚି ଥିବା ବେଳେ କୌଣସି କାରଣବଶତଃ ଯବାନ ଅଶୋକ ଭାରସାମ୍ୟ ହରାଇ ଟ୍ରେନ ଚକା ତଳେ ଖସି ପଡିଥିଲେ । ଫଳରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବେ କଟିଯାଇଛି। ଆର୍‌ପିଏଫ୍‌ ଏଏସ୍‌ଆଇ କେ.ସ୍ବୟଂମ ପ୍ରକାଶ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯବାନଙ୍କୁ ଉଦ୍ଧାରକରି ଅନ୍ୟ ଆର୍‌ପିଏଫ୍‌ ଅଧିକାରୀ ଡି.କେ.ଗୁର୍ଜରଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଏ ନେଇ ମୁନିଗୁଡା ଆର୍‌ପିଏଫ୍‌ ଥାନା କେସ୍‌ ନମ୍ବର ୪/୨୦୨୫ରେ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ କେ.ସ୍ବୟଂମ ପ୍ରକାଶ ସୂଚନା ଦେଇଛନ୍ତି ।

Breaking News